ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ, ୧୪୫୫୫ ନମ୍ବରକୁ କଲ୍‌ କଲେ ମିଳିବ ତଥ୍ୟ

୧୩ ହଜାର ଡାକ୍ତରଖାନା ସାମିଲ ୧.୫ ଲକ୍ଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ସ୍ଥାପନ କରାଯିବ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚାଭିଳାଷୀ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସମାଜର ଦରିଦ୍ରରୁ ଦରିଦ୍ରତମ ଏବଂ ବଞ୍ଚିତବର୍ଗର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି ମୋଦୀ କହିଛନ୍ତି। ଏହି ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ୫୦ କୋଟି ଲୋକ ଏହା ଦ୍ୱାରା ଉପକୃତ ହେବେ ଏବଂ ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଏହି ଯୋଜନାରେ ୧୩୦୦ ପ୍ରକାର ରୋଗକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ଔଷଧ, ହସପିଟାଲ ପୂର୍ବବର୍ତୀ ଖର୍ଚ୍ଚ ଆଦି ସାମିଲ ହେବ। ସେ କହିଥିଲେ ଯେ ଆଗରୁ ଥିବା ରୋଗକୁ ମଧ୍ୟ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିବ। ଲୋକମାନେ ୧୪୫୫୫ ନିଶୁଳ୍କ ନମ୍ବରକୁ କଲ କରି କିମ୍ବା ଜନ ସେବା କେନ୍ଦ୍ରଗୁଡ଼ିକ ଜରିଆରେ ଯୋଜନା ବିଷୟରେ ଜାଣିପାରିବେ। ଏହି ଯୋଜନାର ଅଂଶବିଶେଷ ଥିବା ରାଜ୍ୟଗୁଡ଼ିକ ପାଇଁ ସେଠାକାର ଲୋକମାନେ ଯେଉଁ ରାଜ୍ୟକୁ ଯାଆନ୍ତୁ ନା କାହିଁକି ବୀମା ସୁବିଧା ପାଇପାରିବେ। ସେ କହିଥିଲେ ବର୍ତମାନ ସୁଦ୍ଧା ଦେଶର ୧୩,୦୦୦ ଡାକ୍ତରଖାନା ଏହି ଯୋଜନାର ଅଂଶବିଶେଷ ହୋଇସାରିଲେଣି। ପ୍ରଧାନମନ୍ତ୍ରୀ ମଧ୍ୟ ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଦେଶରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା ୨୩୦୦ରେ ପହଁଚିଛି। ସେ କହିଥିଲେ ୪ ବର୍ଷ ମଧ୍ୟରେ ଭାରତରେ ଏପରି ୧.୫ ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର