ଆଜିଠୁଁ ଆୟୁଷ୍ମାନ ଯୋଜନା

ରାଞ୍ଚିରୁ ରବିବାର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ରବିବାର) ବହୁ ପ୍ରତୀକ୍ଷିତ ତଥା ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିବେ। ଝାଡ଼ଖଣ୍ଡର ରାଞ୍ଚିରୁ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହେବ। ତେବେ ଏହାକୁ ଆସନ୍ତା ୨୫ ତାରିଖରୁ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାର ନାମ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏୱାଇ) ରଖାଯାଇଛି। ଉକ୍ତ ଯୋଜନାରେ ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର ସାମିଲ ହେବେ। ଏଥିରେ ଗ୍ରାମାଞ୍ଚଳର ପ୍ରାୟ ୮.୦୩ କୋଟି ପରିବାର ଏବଂ ସହରାଞ୍ଚଳର ୨.୩୩ କୋଟି ପରିବାର ଲାଭ ପାଇବେ। ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ଯୋଜନାର ହିତାଧିକାରୀ କରାଯିବ। ସାମାଜିକ-ଅର୍ଥନୈତିକ ଜାତିଗତ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି। ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ। ଏଥିରେ ପରିବାରର ସଦସ୍ୟ ସଂଖ୍ୟାକୁ ନେଇ କୌଣସି କଟକଣା ରହିବ ନାହିଁ।

ସାମିଲ ହେବେ ୫୦ କୋଟି ଲୋକ
ବର୍ଷକୁ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା
୮୭୩୫ଟି ଡାକ୍ତରଖାନାରେ ମିଳିବ ଚିକିତ୍ସା
ସାମିଲ ହୋଇନାହିଁ ଓଡ଼ିଶା

କର୍କଟ ରୋଗଠାରୁ ଆରମ୍ଭ କରି ହୃଦରୋଗ, ମସ୍ତିଷ୍କ, ମେରୁଦଣ୍ଡର ଅସ୍ତ୍ରୋପଚାର ଭଳି ଚିକିତ୍ସା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ସେହିଭଳି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ଭଳି ପରୀକ୍ଷା ମଧ୍ୟ କରାଯାଇପାରିବ। ଚିକିତ୍ସା ସୁବିଧା ପାଇଁ ପାଇଁ ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାର ଆବଶ୍ୟକ ପଡ଼ିବ ନାହିଁ। ଯୋଜନାର ଲାଭ ପାଇବାକୁ ହେଲେ ହିତାଧିକାରୀଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ଉକ୍ତ ଯୋଜନା ସମ୍ପୂର୍ଣ୍ଣ ଭାବେ କାଗଜବିହୀନ, ନଗଦ ଅର୍ଥବିହୀନ ଏବଂ ସୂଚନା ପ୍ରଯୁକ୍ତି ଭିତ୍ତିକ ରହିବ। ନ୍ୟାସନାଲ ହେଲ୍‌ଥ ଏଜେନ୍ସି (ଏନ୍‌ଏଚ୍‌ଏ)କୁ ଏହି ଯୋଜନାର ନୋଡାଲ ଏଜେନ୍ସି ଭାବେ ଚୟନ କରାଯାଇଛି। ଉକ୍ତ ଯୋଜନାରେ ହିତାଧିକାରୀଙ୍କ ନାମ ରହିଛି କି ନାହିଁ ସେ ସମ୍ପର୍କରେ ଲୋକମାନେ େଓ୍ଵବସାଇଟ୍‌ ଓ ଟେଲିଫୋନ୍‌ ମାଧ୍ୟମରେ ସୂଚନା ପାଇପାରିବେ। ୮୭୩୫ଟି ସରକାରୀ ଓ ଘରୋଇ ଡାକ୍ତରଖାନାକୁ ଏହି ଯୋଜନା ପାଇଁ ଚୟନ କରାଯାଇଛି। ଏସବୁ ଡାକ୍ତରଖାନା ଗୁଡ଼ିକରେ ଜଣେ ଲେଖାଏଁ ଆୟୁଷ୍ମାନ ମିତ୍ର ରହିବେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସ୍କିମ୍‌ରେ ୧୩୫୪ଟି ପ୍ୟାକେଜ ରଖାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନା (ସିଜିଏଚ୍‌ଏସ୍‌) ତୁଳନାରେ ୧୫ରୁ ୨୦ ପ୍ରତିଶତ କମ୍‌ ଦରରେ ଏଥିରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଦେଶରେ ପ୍ରାୟ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି। ଓଡ଼ିଶା, ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକକୁ ବାଦ୍‌ ଦେଲେ ଅନ୍ୟ ସବୁ ରାଜ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି ଯୋଜନା ବାବଦ ଖର୍ଚ୍ଚରୁ କେନ୍ଦ୍ର ସରକାର ୬୦% ଏବଂ ରାଜ୍ୟ ସରକାର ୪୦% ବହନ କରିବେ।

ସମ୍ବନ୍ଧିତ ଖବର