ବେଙ୍ଗାଲୁରୁ: ଆଇଟି ସେବା ପ୍ରଦାନକାରୀ କମ୍ପାନି ୱିପ୍ରୋର ପ୍ରତିଷ୍ଠାତା ଅଜିମ୍ ଏଚ. ପ୍ରେମଜୀ ଆସନ୍ତା ଜୁଲାଇ ୩୦ ତାରିଖରେ ଅବସର ନେବେ। ସେ ଏବେ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ (ଏମଡି) ଅଛନ୍ତି। ବାପାଙ୍କ ମୃତ୍ୟୁ ପରେ ହଠାତ୍ ଅଜିମ୍ ୨୧ ବର୍ଷ ବୟସରେ ୱିପ୍ରୋର ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ। ସେବେଠାରୁ ଦୀର୍ଘ ୫୩ ବର୍ଷ ହେଲା ଏହି କମ୍ପାନିକୁ ସମ୍ଭାଳି ଆସୁଛନ୍ତି। ଅଜିମ ମଧ୍ୟ ତାଙ୍କ ପୁଅ ରିଶଦ ପ୍ରେମଜୀଙ୍କ ହାତରେ କମ୍ପାନିର ଦାୟିତ୍ବ ଅର୍ପଣ କରିବେ। ରିଶଦ ଏବେ ୱିପ୍ରୋର ମୁଖ୍ୟ ରଣନୀତି ଅଧିକାରୀ ଏବଂ ବୋର୍ଡର ସଦସ୍ୟ ରହିଛନ୍ତି। ରିଶଦ ୱିପ୍ରୋର ନୂଆ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ତେବେ ଅବସର ପରେ ମଧ୍ୟ ଅଜିମ ୫ ବର୍ଷ ପାଇଁ କମ୍ପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ପ୍ରତିଷ୍ଠାତା ଅଧ୍ୟକ୍ଷ ପଦରେ ରହିବେ। ଏତଦବ୍ୟତୀତ ଏବେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଅବିଦାଲି ଜେ ନିମୁଚାୱାଲା ପରିଚାଳନା ନିର୍ଦେଶକ ହେବେ। ଆସନ୍ତା ଜୁଲାଇ ୩୧ ତାରିଖରୁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଉଲ୍ଲେଖଯୋଗ୍ୟ ଯେ, ୧୯୪୫ ମସିହା ଜୁଲାଇ ୨୪ରେ ବମ୍ବେରେ ପେମ୍ଜୀଙ୍କ ଜନ୍ମ ହୋଇଥିଲା। ସେ କମ୍ପାନିର ଦାୟିତ୍ବ ଗ୍ରହଣ କରିବା ସମୟରେ ୱିପ୍ରୋ ସେତେଟା ବଡ଼ ନଥିଲା। ଅଷ୍ଟମ ଦଶକରେ ସେ ଏକ ଆମେରିକୀୟ କମ୍ପାନି ସହିତ ମିଶି ମିନି କମ୍ପ୍ୟୁଟର ବ୍ୟବସାୟରେ ପ୍ରବେଶ କରିଥିଲେ। ଏଥିସହିତ ଅନ୍ୟାନ୍ୟ କ୍ଷେତ୍ରର ବ୍ୟବସାୟରେ ମଧ୍ୟ ଅଜିମ୍ ପ୍ରବେଶ କରିଥିଲେ। ଅଜିମ୍ ତାଙ୍କର ଅଧା ସମ୍ପତ୍ତିକୁ ଭାରତରେ ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ କରିବେ ବୋଲି ୨୦୧୩ରେ ନିଷ୍ପତ୍ତି ନେଇସାରିଛନ୍ତି। ବଦାନ୍ୟତା ପାଇଁ ଜଣାଶୁଣା ଅଜିମଙ୍କୁ ୨୦୦୫ରେ ପଦ୍ମ ଭୂଷଣ ଏବଂ ୨୦୧୧ରେ ପଦ୍ମ ବିଭୂଷଣ ଉପାଧି ପ୍ରଦାନ କରାଯାଇ ସାରିଛି।
ୱିପ୍ରୋରେ ଅଜିମ୍ ପ୍ରେମଜୀ ଯୁଗ ଶେଷ
/sambad/media/post_attachments/wp-content/uploads/2019/06/Untitled-5-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)