ଭୁବନେଶ୍ବର: ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପକ୍ଷରୁ ଅଜିମ ପ୍ରେମ୍ଜୀ ଶିକ୍ଷାବୃତ୍ତି ଘୋଷଣା କରାଯାଇଛି। ସରକାରୀ ସ୍କୁଲ ଓ କଲେଜରେ ପାଠପଢ଼ୁଥିବା କେବଳ ଛାତ୍ରୀମାନଙ୍କୁ ଏହି ବୃତ୍ତି ଦିଆଯାଉଛି। ୨୦୨୫-୨୬ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨.୫ ଲକ୍ଷ ଛାତ୍ରୀଙ୍କୁ ବୃତ୍ତି ଦିଆଯିବ। ଓଡ଼ିଶାରୁ ୨୦ ହଜାର ଛାତ୍ରୀ ବୃତ୍ତିର ଲାଭ ପାଇପାରିବେ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଦୁର୍ବଳ ଆର୍ଥିକ ପୃଷ୍ଠଭୂମିର ଛାତ୍ରୀମାନଙ୍କୁ କଲେଜ ଶିକ୍ଷା ଶେଷ କରିବାରେ ଏହା ସହାୟକ ହେବ। ପ୍ରଥମ ସ୍ନାତକ ଡିଗ୍ରି ଓ ଡିପ୍ଲୋମା ପାଇଁ ବୃତ୍ତି ଦିଆଯିବ। ବର୍ଷକୁ ଜଣଙ୍କ ପିଛା ୩୦ ହଜାର ଟଙ୍କା ପ୍ରଦାନ କରାଯିବ।
ସେହି ରାଶିକୁ କଲେଜ ଶିକ୍ଷା, ଟ୍ୟୁସନ ଫି କିମ୍ବା ପାଠପଢ଼ା ଶେଷ କରିବା ଲାଗି ଦରକାର ହେଉଥିବା ଅନ୍ୟାନ୍ୟ ଖର୍ଚ୍ଚରେ ବ୍ୟବହାର କରାଯାଇପାରିବ। ବୃତ୍ତି ପାଇଁ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରାଯାଇପାରିବ। ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ ଅବଧି ୨୦୨୬ ଜାନୁଆରି ୧୦ରୁ ଜାନୁଆରି ୩୧ ରଖାଯାଇଛି। ଆବେଦନ ପାଇଁ କୌଣସି ଶୁଳ୍କ ନାହିଁ। ଯୋଗ୍ୟ ଛାତ୍ରୀମାନେ https:// azimpremjifoundation.org ଜରିଆରେ ଆବେଦନ କରିପାରିବେ। ସରକାରୀ ବିଦ୍ୟାଳୟ ଦଶମ ଓ ମହାବିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀର ଜଣେ ନିୟମିତ ଛାତ୍ରୀ ଭାବେ ପାସ୍ କରିଥିବା କିମ୍ବା ସରକାରୀ ଓ ପ୍ରମାଣିତ ବେସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଣ୍ଡର୍ ଗ୍ରାଜୁଏଟ୍ ଡିଗ୍ରି ଓ ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ରୀମାନେ ଆବେଦନ କରିପାରିବେ।