ଭୁବନେଶ୍ବର: ନାଗରିକମାନଙ୍କୁ ୫୬ଟି ସେବାକୁ ବାଧ୍ୟତାମୂଳକ ଭାବେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶା ମାତ୍ର ୨୫ଟି ସେବା ପ୍ରଦାନ କରୁଛି। ଫଳରେ ଏକ୍ଷେତ୍ରରେ ରାଜ୍ୟର ସାଚୁରେସନ୍ ଲେବଲ୍‌ (ପରିପୃଷ୍ଠତା ସ୍ତର) ୪୪.୬୫ ପ୍ରତିଶତ ରହିଛି। ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ, ହିମାଚଳପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟ ସମସ୍ତ ୫୬ଟି ସେବାକୁ ବାଧ୍ୟତାମୂଳକ ଇ-ସେବା ଅଧୀନରେ ଅନ୍ତର୍ଭୁକ୍ତ କରିଛନ୍ତି। କିନ୍ତୁ, ଏକକ ଏକୀକୃତ ପୋର୍ଟାଲ୍‌ କ୍ଷେତ୍ରରେ ଓଡ଼ିଶାର ‘ଓଡ଼ିଶା ୱାନ୍’ ୪୦୪ ସେବା ସହିତ ଶତ ପ୍ରତିଶତ ସାଚୁରେସନ୍ ସ୍ତର ହାସଲ କରିପାରିଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାର୍ବଜନୀନ ଅଭିଯୋଗ (ଡିଏଆର୍‌ଜିପି) ବିଭାଗର ୨୪ତମ ଜାତୀୟ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ ଅନୁଶୀଳନ (ଏନ୍‌ଇଏସ୍‌ଡିଏ)ର ୨୪ତମ ମାସିକିଆ ରିପୋର୍ଟରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ନୂତନ ଭାବେ ଆରମ୍ଭ କରାଯାଇଥିବା ୫ ବାଧ୍ୟତାମୂଳକ ସେବାକୁ ଏନ୍‌ଇଏସ୍‌ଡିଏ ୱେ ଫର୍‌ୱାର୍ଡ ଡ୍ୟାସ୍‌ବୋର୍ଡର ବାଧ୍ୟତାମୂଳକ ତାଲିକାରେ ସାମିଲ କରିବାକୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଉପ ସଚିବ ଶ୍ରୀନିବାସ ମିଶ୍ର ସମସ୍ତ ବିଭାଗକୁ ଅବଗତ କରିଛନ୍ତି। ସେହି ସେବାଗୁଡ଼ିକ ହେଉଛି ସରକାରୀ ଚାକିରି ପାଇଁ ଆବେଦନ, ଟ୍ରାଫିକ୍ ଉଲ୍ଲଂଘନର ଅନ୍‌ଲାଇନ୍ ଦେୟ ପ୍ରଦାନ, ଅନ୍‌ଲାଇନ୍ ଏତଲା ପଞ୍ଜୀକରଣ, ଅନ୍‌ଲାଇନ୍ ଅଭିଯୋଗ ପରିଚାଳନା ଏବଂ ଅନଲାଇନ୍ ଜମି/ ସମ୍ପତ୍ତି ପଞ୍ଜୀକରଣ। ଇ-ସେବାରେ ୧୦୦ ପ୍ରତିଶତ ସାଚୁରେସନ୍ ସ୍ତର ହାସଲ କରିବା ପ୍ରତି ଧ୍ୟାନ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। 

Advertisment

ସୂଚନ ଅନୁସାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ୨୦,୬୩୮ଟି ଇ-ସେବା ପ୍ରଦାନ କରୁଛନ୍ତି। କର୍ଣ୍ଣାଟକ ସର୍ବାଧିକ ୨୦୮୯ଟି ଇ-ସେବା‌ ଯୋଗାଉଛି। ଇ-ସେବାରେ ସର୍ବାଧିକ ସ୍ଥାନୀୟ ପ୍ରଶାସନ ଓ ୟୁଟିଲିଟି ସେବା ଯୋଗାଇ ଦିଆଯାଉଛି। ସମସ୍ତ ଇ-ସେବାରେ ସାଚୁରେସନ୍ ସ୍ତର ହାସଲ କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଏଥି ସହିତ ନିଜ ନିଜର ଏକକ ଏକୀକୃତ ସେବା ପ୍ରଦାନ ପୋର୍ଟାଲ୍‌କୁ ଆହୁରି ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି।