ଭୁବନେଶ୍ବର: ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସ୍ଥାପନ କରିବାରେ ଓଡ଼ିଶା ବହୁ ପଛରେ ରହିଛି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୨ଟି ସ୍ବାପିଂ ଷ୍ଟେସନ୍ ରହିଛି। ଚଳିତ ବର୍ଷ ଜୁଲାଇ ୧ ସୁଦ୍ଧା ତଥ୍ୟ ଅନୁସାରେ ସାରା ଦେଶରେ ଏଭଳି ଷ୍ଟେସନ୍ ସଂଖ୍ୟା ୨୬୧୧ ରହିଛି। ବର୍ତ୍ତମାନ ସୁଦ୍ଧା ୧୫ଟି ରାଜ୍ୟରେ ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସ୍ଥାପନ କରାଯାଇଛି। ଦିଲ୍ଲୀରେ ସର୍ବାଧିକ ୮୭୮ଟି ଓ ଉତ୍ତରପ୍ରଦେଶରେ ଦ୍ବିତୀୟ ସର୍ବାଧିକ ୮୩୯ଟି ଷ୍ଟେସନ୍ ରହିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ କର୍ଣ୍ଣାଟକରେ ୩୪୭, ହରିୟାଣାରେ ୧୭୧, ତେଲେଙ୍ଗାନାରେ ୧୪୬, ରାଜସ୍ଥାନରେ ୧୦୪, ବିହାରରେ ୪୮, ମହାରାଷ୍ଟ୍ରରେ ୨୪, ପଞ୍ଜାବରେ ୨୨ ଓ କେରଳରେ ୨୦ଟି ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ରହିଛି। ଅନ୍ୟ କିଛି ରାଜ୍ୟରେ ନାମକୁ ମାତ୍ର ଗୋଟିଏ କିମ୍ବା ଦୁଇଟି ଷ୍ଟେସନ୍ ରହିଛି। ପଶ୍ଚିମବଙ୍ଗରେ ମାତ୍ର ଗୋଟିଏ ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ରହିଛି।
ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସଂଖ୍ୟା ବଢ଼ାଇବା ଲାଗି ଚଳିତ ବର୍ଷ ଜାନୁଆରି ୧୦ରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା। ଜାତୀୟ ରାଜପଥ, ଏକ୍ସପ୍ରେସ୍ୱେ, ପ୍ରମୁଖ ସଡ଼କପଥ ପାର୍ଶ୍ବରେ ଏବଂ ସହରାଞ୍ଚଳରେ ଏଭଳି ଷ୍ଟେସନ୍ ସ୍ଥାପନ କରିବା ଲାଗି କୁହାଯାଇଥିଲା। ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ରାଜ୍ୟ ସ୍ତରରେ ଏକ ଷ୍ଟିୟରିଂ କମିଟି ଗଠନ କରିବାକୁ ପରାମର୍ଶ ଦିଅଯାଇଥିଲା। ପ୍ରତି ରାଜ୍ୟର ଏକ ନୋଡାଲ୍ ଏଜେନ୍ସି ରହିବ ଯାହା ବିଦ୍ୟୁତ୍ ବଣ୍ଟନ କମ୍ପାନି (ଡିସ୍କମ୍) ଓ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ସହ ସମନ୍ବୟ ରକ୍ଷା କରି ବ୍ୟାଟେରି ସ୍ବାପିଂ ଷ୍ଟେସନ୍କୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା। ପ୍ରତି କେଡବ୍ଲ୍ୟୁଏଚ୍ ପିଛା ୧ ଟଙ୍କାର ରାଜସ୍ବ ଭାଗବଣ୍ଟା ମଡେଲ୍ ଆଧାରରେ ସାର୍ବଜନୀନ ଜମି ସରକାର କିମ୍ବା ସରକାରୀ ଉଦ୍ୟୋଗକୁ ଦେବା ଲଗି ପରାମର୍ଶ ଦିଆଯାଇଛି।