ମାନ୍ଦାବସ୍ଥାର ଜବରଦସ୍ତ ପ୍ରଭାବ: ଗାଁ ଲୋକେ କମାଇଲେ ଖାଇବା ଖର୍ଚ୍ଚ, ଗତ ୪୦ ବର୍ଷରେ ସବୁଠୁ ଖରାପ ସ୍ଥିତି

ତେଲ, ଲୁଣ, ଚିନି ଓ ମସଲା ଖର୍ଚ ବି କମିଛି

ନୂଆଦିଲ୍ଲୀ: ଲୋକଙ୍କ ଜୀବନ ଉପରେ ମାନ୍ଦାବସ୍ଥାର ଜବରଦସ୍ତ ପ୍ରଭାବ ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଲୋକମାନେ ନିଜ ଖାଇବା ଖର୍ଚ କମାଇବାକୁ ବାଧ୍ୟ ହୋଇଛନ୍ତି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ବିଗତ ୪୦ ବର୍ଷ ଭିତରେ ଏମିତି ସ୍ଥିତି ଆସିନଥିଲା। ଶେଷ ଥର ପାଇଁ ୧୯୭୨-୭୩ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସରକାର ସେହି ରିପୋର୍ଟକୁ ଅଟକାଇ ଦେଇଛନ୍ତି। ଗୁଣାତ୍ମକ ତଥ୍ୟର ଅଭାବ ଥିବାରୁ ସେହି ରିପୋର୍ଟ ଆଉ ପ୍ରକାଶ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ତେବେ ରିପୋର୍ଟଟି ଲିକ୍ ହୋଇଯାଇଛି। ଇଂରାଜୀ ଖବରକାଗଜ ‘ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ’ରେ ତାହାକୁ ନେଇ ଏକ ଖବର ପ୍ରକାଶ ପାଇଛି।

ଉକ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଲୋକମାନେ ଖାଇବାପିଇବା, ପୋଷାକପତ୍ର ଓ ଶିକ୍ଷା ଆଦିରେ ଖର୍ଚ କମାଇଛନ୍ତି। ସେମାନଙ୍କ ହାରାହାରି ମାସିକ ଖର୍ଚ ହ୍ରାସ ପାଇଛି। ୨୦୧୧-୧୨ରେ ହାରାହାରି ମାସିକ ଖର୍ଚ ୧୫୦୧ ଟଙ୍କା ଥିଲା। ଛଅ ବର୍ଷ ପରେ ୨୦୧୭-୧୮ରେ ସେହି ଖର୍ଚ ୧୪୪୬ ଟଙ୍କାକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କ ମାସିକ ଖର୍ଚ ୮.୮ ପ୍ରତିଶତ କମିଥିବା ବେଳେ ସହରାଞ୍ଚଳରେ ୨ ପ୍ରତିଶତ ବଢ଼ିଛି। ଗ୍ରାମାଞ୍ଚଳରେ ଲୋକମାନେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ସାମଗ୍ରୀ କିଣିବା କମାଇଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନେ ତେଲ, ଲୁଣ, ଚିନି ଓ ମସଲା ଖର୍ଚ କମାଇଛନ୍ତି। ଗ୍ରାମାଞ୍ଚଳରେ ଅଣ ଖାଦ୍ୟ ସାମଗ୍ରୀଗୁଡ଼ିକରେ ଖର୍ଚ ୭.୬% କମିଥିବା‌ ବେଳେ ସହରାଞ୍ଚଳରେ ତାହା ୩.୮% କମିଛି। ୨୦୧୧-୧୨ରେ ଗ୍ରାମାଞ୍ଚଳର ଲୋକମାନେ ଖାଦ୍ୟପଦାର୍ଥ କିଣିବାରେ ମାସକୁ ୬୪୩ ଟଙ୍କା ଖର୍ଚ କରୁଥିଲେ। ୨୦୧୭-୧୮ରେ ସେହି ଖର୍ଚ ୧୦% ହ୍ରାସ ପାଇ ୫୮୦ ଟଙ୍କାକୁ ଖସିଆସିଛି। ସହରାଞ୍ଚଳରେ କିନ୍ତୁ ଏହି ଖର୍ଚ ୯୪୩ ଟଙ୍କାରୁ ସାମାନ୍ୟ ବୃଦ୍ଧି ପାଇ ୯୪୬ ଟଙ୍କା ହୋଇଛି।

ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିବା ତଥ୍ୟକୁ ନେଇ ଅର୍ଥନୀତିଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନ୍‌ କହିଛନ୍ତି ଯେ, ଗାଁରେ ଖାଦ୍ୟ ସାମଗ୍ରୀ‌ରେ କମ୍ ଖର୍ଚ ହେଉଥିବାର ଅର୍ଥ ହେଉଛି ଅପପୁଷ୍ଟି ବଢ଼ିଥିବ। ୨୦୧୨-୧୩ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଆୟ ବଢ଼ୁଥିଲା। ତେଣୁ ଏହା ପରେ ସେମାନଙ୍କ ଖର୍ଚ କମିଥିବା କୁହାଯାଇପାରିବ ବୋଲି ଶ୍ରୀ ସେନ୍ କହିଛନ୍ତି। ଲୋକଙ୍କ ଖର୍ଚ କମିବାର ଅର୍ଥ ହେଉଛି ସେମାନଙ୍କ ଆୟ କମିଛି। ଆୟ କମିଥିବାରୁ ଗ୍ରାମାଞ୍ଚଳରେ ନିଶ୍ଚିତ ଦାରିଦ୍ର୍ୟ ବୃଦ୍ଧି ପାଇଥିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗଣମାଧ୍ୟମରେ ଲିକ୍ ହୋଇଥିବା ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ମୋଦୀଙ୍କ ଅର୍ଥନୀତି (ମୋଦୀନୋମିକ୍ସ) ଏତେ ଖରାପ ହୋଇଯାଇଛି ଯେ, ସରକାରଙ୍କୁ ନିଜ ରିପୋର୍ଟ ଲୁଚାଇବାକୁ ପଡ଼ୁଛି।

ସର୍ଭେ ରିପୋର୍ଟ ପ୍ରକାଶ ପାଇବନି: କେନ୍ଦ୍ର
ନୂଆଦିଲ୍ଲୀ: ଉପଭୋକ୍ତା ବ୍ୟୟକୁ ନେଇ ୨୦୧୭-୧୮ରେ କରାଯାଇଥିବା ସର୍ଭେର ରିପୋର୍ଟ ପ୍ରକାଶ ପାଇବ ନାହିଁ। ଗୁଣାତ୍ମକ ତଥ୍ୟର ଅଭାବ ଯୋଗୁ ସେହି ରିପୋର୍ଟକୁ ପ୍ରକାଶ କରାଯିବ ନାହିଁ ବୋଲି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ଚାହିଦା ୪୦ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ ଲେଖାଯାଇଛି, ତଥ୍ୟର ମାନରେ ସମସ୍ୟା ରହିଥିବାରୁ ୨୦୧୭-୧୮ର ଉପଭୋକ୍ତା ବ୍ୟୟ ସର୍ଭେ ରିପୋର୍ଟକୁ ଜାରି ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୦-୨୧ ଓ ୨୦୧୧-୨୨ରେ ପୁଣି ଥରେ ସର୍ଭେ କରିବାର କ’ଣ ସମ୍ଭାବନା ରହିଛି ତାହାକୁ ଅନୁଧ୍ୟାନ କରାଯାଉଛି। ସର୍ଭେ ପ୍ରକ୍ରିୟାରେ ତଥ୍ୟର ଗୁଣାତ୍ମକ ମାନକୁ ନିଶ୍ଚିତ କରିବାକୁ ସରକାର ପ୍ରୟାସ କରୁଥିବା ଜଣାପଡ଼ିଛି। ଅଡ଼ୁଆ ସୃଷ୍ଟି କରିବା ଭଳି ତଥ୍ୟ ଥିବାରୁ ସର୍ଭେ ରିପୋର୍ଟକୁ ଚାପି ଦିଆଯାଇଛି ବୋଲି ଯେଉଁ ଅଭିଯୋଗ କରାଯାଇଛି ତାହାକୁ ମଧ୍ୟ ସରକାର ଖଣ୍ଡନ କରିଛନ୍ତି। ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜରିଆରେ ଅବଗତ କରାଯାଇଛି ଯେ, ସର୍ଭେ ଜରିଆରେ ପ୍ରସ୍ତୁତ ହେଉଥିବା ତଥ୍ୟ ଓ ରିପୋର୍ଟଗୁଡ଼ିକର ପୁନଃ ନିରୀକ୍ଷଣ ଲାଗି କଠୋର ବ୍ୟବସ୍ଥା ରହିଛି। ମନ୍ତ୍ରଣାଳୟ ପାଖକୁ ଯାହା ଆସୁଛି ତାହା ଚିଠା ସ୍ତରରେ ରହିଥାଏ। ସେଗୁଡ଼ିକୁ ଚୂଡ଼ାନ୍ତ ରିପୋର୍ଟ ବୋଲି ବିଚାର କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର