ଫେରିଲା ‘ବଜାଜ ଚେତକ୍‌’ ସ୍କୁଟର

ମୁମ୍ବାଇ: ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ବଜାଜ ଚେତକ୍‌ ସ୍କୁଟର ଆଜି ପୁଣି ଥରେ ଫେରିଛି। ବଜାଜ ଅଟୋ ପକ୍ଷରୁ ଏହାକୁ ଇଲେକ୍‌ଟ୍ରିକ୍ ସ୍କୁଟର୍‌ ଭାବେ ଉପସ୍ଥାପନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ଏକ ଲକ୍ଷ ଟଙ୍କା ରଖାଯାଇଛି। ଅର୍ବାନ୍ ଓ ପ୍ରିମିୟମ୍ ଭଳି ଦୁଇଟି ଭାରିଆଣ୍ଟ୍‌ ଓ ଛଅ ପ୍ରକାର ରଙ୍ଗରେ ଏହା ମିଳିବ। ଚଳିତ ମାସ ୧୫ରୁ ଏହାର ପ୍ରାକ୍-ବୁକିଙ୍ଗ୍‌ ଆରମ୍ଭ ହେବ ଏବଂ ଫେବ୍ରୁଆରି ସୁଦ୍ଧା ଗ୍ରାହକଙ୍କ ପାଖରେ ନୂଆ ଚେତକ୍ ପହଞ୍ଚିବ। ଏଥିରେ ୩ କିଲୋୱାଟ୍‌ର ବ୍ୟାଟେରି ଓ ୪୦୮୦ ୱାଟ୍‌ର ମୋଟର୍‌ ରହିଛି। ପାଞ୍ଚ ଘଣ୍ଟାରେ ଏହି ସ୍କୁଟର୍‌ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ। ଥରେ ଚାର୍ଜ କଲେ ଏହା ୯୫ କି‌ଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ ବୋଲି କଂପାନି ଦାବି କରିଛି। ସ୍କୁଟର ସହିତ ମାଗଣାରେ ଚାର୍ଜର ମିଳିବ। ଧାତବ ପଦାର୍ଥରେ ଏହାର ବଡିକୁ ପ୍ରସ୍ତୁତ କରାଯାଇଛି। ଏଥିରେ ରିଭର୍ସ ଗିୟରର ସୁବିଧା ମଧ୍ୟ ରହିଛି। କଂପାନି ତରଫରୁ ନୂଆ ଚେତକ୍ ଉପରେ ତିନି ବର୍ଷ କିମ୍ବା ୫୦ ହଜାର କିମିର ୱାରେଣ୍ଟି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର