ବଜାଜ୍‌ର ଚାରିଚକିଆ ଗାଡ଼ି ‘କ୍ୟୁଟ୍‌’ ଅଟୋଠୁ ଅଧିକ, କାର୍‌ଠୁ କମ୍

ଭୁବନେଶ୍ବର: ଓଡ଼ିଶା ସରକାର କ୍ବାଡ୍ରିସାଇକଲ୍ ଚଳାଚଳ ପାଇଁ ମଞ୍ଜୁରି ପ୍ରଦାନ କରିବା ପରେ ବଜାଜ୍‌ ଅଟୋ ଲିମିଟେଡ୍ ପକ୍ଷରୁ ଭୁବନେଶ୍ବରରେ ଏହାର ଗାଡ଼ି ‘କ୍ୟୁଟ୍‌’କୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ଚାରିଚକିଆ ଯାନ ଯାହା କାର୍‌ ଏବଂ ଅଟୋ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ପୂରଣ କରିବ। କେବଳ ସହରରେ ଚଳାଚଳ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ପେଟ୍ରୋଲ୍ ଓ ସିଏନ୍‌ଜି ବିକଳ୍ପରେ ଉପଲବ୍ଧ ହେବ। ଆଜି ପାଲ୍‌ ହାଇଟସ୍‌ରେ କଂପାନିର ଡିଜିଏମ୍ (ଇଣ୍ଟ୍ରା ସିଟି ବିଜନେସ୍‌) ପ୍ରଶାନ୍ତ ଆର୍‌ ରାହିଏ ଓ ମୁକେଶ କୁମାର ତିୱାରୀ ନୂଆ କ୍ୟୁଟ୍‌କୁ ଉନ୍ମୋଚନ କରିଛନ୍ତି। ପେଟ୍ରୋଲ୍‌ କ୍ୟୁଟ୍‌ର ମାଇଲେଜ୍‌ ଲିଟର ପିଛା ୩୫ କିମି ହୋଇଥିବା ବେଳେ ସିଏନ୍‌ଜିର ମାଇଲେଜ୍ ହେଉଛି କେଜି ପ୍ରତି ୪୫ କିଲୋମିଟର। ସା‌ତ ବର୍ଷରୁ ଅଧିକ ବର୍ଷ ଧରି ଅଟୋ ଚଲାଉଥିବା କିମ୍ବା ଅଟୋର ମାଲିକ ହେବାକୁ ଚାହୁଁଥିବା ଲୋକମାନଙ୍କୁ କଂପାନି ଏହାର ଗ୍ରାହକ ଭାବେ ବିବେଚନା କରୁଛି। କ୍ୟୁଟ୍‌ର ମୂଲ୍ୟ ୨୫୭,୨୯୧ ଟଙ୍କାରୁ ଆରମ୍ଭ ହୋଇଛି। ଓଡ଼ିଶାର ଗ୍ରାହକମାନେ କ୍ୟୁଟ୍‌କୁ ଉଭୟ ବାଣିଜ୍ୟିକ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ କିଣିପାରିବେ। କ୍ୟୁଟ୍‌ର ମାଲିକାନା ଏବଂ ପରିଚାଳନା ଖର୍ଚ ଅଟୋ ତୁଳନାରେ ସାମାନ୍ୟ ଅଧିକ ହୋଇଥିବା ବେଳେ କାର୍‌ ଠାରୁ ବହୁତ କମ୍। ଏଥିରେ ଥିବା ଗିୟର୍‌କୁ ଅତି ସହଜରେ ବଦଳାଇହେବ ଏବଂ ଏହାକୁ ଅଟୋ ଭଳି ଯେକୌଣସି ସ୍ଥାନରେ ପାର୍କିଂ କରାଯାଇପାରିବ। ଏହା ଯାତ୍ରୀଙ୍କୁ ଖରା ଓ ବର୍ଷାରୁ ସୁରକ୍ଷା ପ୍ରଦାନ କରିବ। ଏହାର ସର୍ବାଧିକ ବେଗ ହେଉଛି ୭୦ କିମି ଓ ଓଜନ ‌ହେଉଛି ୪୫୨ କେଜି। ବଜାଜର ତିନି ଚକିଆ ଡିଲରସିପ୍‌ଗୁଡ଼ିକରେ କ୍ୟୁଟ୍‌ ଉପଲବ୍ଧ ହେଉଛି। କଂପାନି ପକ୍ଷରୁ ୭୦୦ କୋଟି ଟଙ୍କା ବିନିଯୋଗରେ କ୍ୟୁଟ୍‌କୁ ବିକଶିତ କରାଯାଇଛି ଏବଂ ଏହାକୁ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ଥିବା କାରଖାନାରେ ଉତ୍ପାଦନ କରାଯାଉଛି। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୬୦ ହଜାର ଗାଡ଼ି। କ୍ବାଡ୍ରିସାଇକଲ୍ କ୍ୟୁଟ୍‌ ପାଇଁ ବଜାଜ ୨୨ଟି ରାଜ୍ୟରେ ମଞ୍ଜୁରି ହାସଲ କରିଛି। ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ଏହାକୁ ମଞ୍ଜୁରି ମିଳିଥିବା ସବୁ ରାଜ୍ୟରେ ଉନ୍ମୋଚନ କରାଯିବ।

ସମ୍ବନ୍ଧିତ ଖବର