ନୂଆ ପିଢ଼ି ପାଖକୁ ଯିବ ବଜାଜ୍‌ ମାଲିକାନା:ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରି୍ରୟା ଆରମ୍ଭ

ମୁମ୍ବାଇ: ଦେଶର ଉଦ୍ୟୋଗ ଜଗତରେ ସୁପରିଚିତ ବଜାଜ୍‌ ଗ୍ରୁପ୍‌ର ସମ୍ପତ୍ତି ବର୍ତମାନ ପିଢ଼ି ନିକଟରୁ ନୂଆ ପିଢ଼ି ନିକଟକୁ ଯିବ। ଏ ନେଇ କମ୍ପାନି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବଜାଜ୍‌ ଗ୍ରୁପ୍‌ର ବିଭିନ୍ନ ଶେୟାରର କ୍ରୟବିକ୍ରୟ ଆରମ୍ଭ ହୋଇଯାଇଛି।
ଗତ ସପ୍ତାହରେ ମଧୁର ବଜାଜ୍‌ ଓ ତାଙ୍କ ପତ୍ନୀ କୁମୁଦ ବଜାଜ୍‌, ନିରଜ୍‌ ବଜାଜ୍‌ଙ୍କ ପୁଅ ନିରଭ୍‌ ବଜାଜ୍‌, ଶେଖର ବଜାଜ୍‌ଙ୍କ ପୁଅ ଅନନ୍ତ ବଜାଜ୍‌ଙ୍କ ମଧ୍ୟରେ ସେୟାର କିଣାବିକା ହୋଇଛି। ଆଗାମୀ ଦିନରେ ବଜାଜ୍‌ କମ୍ପାନିର ସେୟାର କିଣାବିକା ଅଧିକ ମାତ୍ରାରେ କରାଯାଇ ନୂଆ ପିଢ଼ି ନିକଟକୁ ସମ୍ପତ୍ତି ସ୍ଥାନାନ୍ତର କରାଯିବା ଯୋଜନା ରହିଛି। ବଜାଜ୍‌ ଗ୍ରୁପ୍‌ର ଏବେ ୪ ଜଣ ପ୍ରମୋଟର ରହିଛନ୍ତି। ସେମାନେ ହେଲେ ରାହୁଲ ବଜାଜ୍‌, ଶେଖର ବଜାଜ୍‌, ମଧୁର ବଜାଜ୍‌ ଓ ନିରଜ୍‌ ବଜାଜ୍‌। ପରିବାର ମଧ୍ୟରେ ଏହା ଏକ ଛୋଟ ଧରଣର ସମ୍ପତ୍ତି ପୁନର୍ଗଠନ। କୌଣସି ଗୋଟିଏ ହେଲେ ସେୟାର ପରିବାର ବାହାରର ସଦସ୍ୟଙ୍କୁ ବିକ୍ରି କରାଯାଇ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତିଙ୍କ ସେୟାର ବଜାଜ୍‌ ପରିବାରର ସଦସ୍ୟମାନେ କିଣିନାହାନ୍ତି ବୋଲି ନିରଜ୍‌ ବଜାଜ୍‌ କହିଛନ୍ତି। ଉପରୋକ୍ତ ୪ ଜଣ ପ୍ରମୋଟରଙ୍କ ମଧ୍ୟରେ ନିରଜ୍‌ କନିଷ୍ଠ ସଦସ୍ୟ ହୋଇଥିବାବେଳେ ପାରିବାରିକ ସମ୍ପତ୍ତିର କୋଷାଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଥାନ୍ତି। ଆଗାମୀ ଦିନରେ ଏହି ପ୍ରକ୍ରିୟା ଚାଲିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୯୦ ବର୍ଷ ପୂର୍ବେ ବଜାଜ୍‌ ଗ୍ରୁପ୍‌ ସ୍ୱାଧୀନତା ସଂଗ୍ରାମୀ ତଥା ଉଦ୍ୟୋଗୀ ଜମ୍‌ନାଲାଲ ବଜାଜ୍‌ଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏବେ ରାହୁଲ୍‌, ଶେଖର, ମଧୁର ଓ ନିରଜ୍‌ଙ୍କ ଦ୍ୱାରା ଏହି ଗ୍ରୁପ୍‌ ପରିଚାଳିତ ହେଉଛି। ଏବେ ଯେଉଁ ସମ୍ପତ୍ତି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ତାହାଦ୍ୱାରା ନୂଆ ପିଢ଼ିଙ୍କ ହାତରେ ସେହି ସମ୍ପତ୍ତିକୁ ସମର୍ପି ଦିଆଯିବ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଜାଜ୍‌ ଗ୍ରୁପ୍‌ର ବଜାଜ୍‌ ହୋଲ୍‌ଡିଂସ୍‌ରେ ମଧୁର ବଜାଜ୍‌ ଓ କୁମୁଦ ବଜାଜ୍‌ ସେମାନଙ୍କ ସେୟାର ବିକ୍ରି କରିଛନ୍ତି। ଏହାକୁ ନିରଭ ବଜାଜ୍‌ ଟ୍ରଷ୍ଟ ଏବଂ ଅନନ୍ତ ବଜାଜ୍‌ ଟ୍ରଷ୍ଟ କରିଛନ୍ତି। ଏହାର ମୂଲ୍ୟ ୧୩୬୯.୫୫ କୋଟି ଟଙ୍କା ବୋଲି ଜଣାଯାଇଛି। ସେହିଭଳି ବଜାଜ୍‌ ଇଲେକ୍‌ଟ୍ରିକାଲ୍‌ସରେ ଅନନ୍ତ ବଜାଜ୍‌ ଟ୍ରଷ୍ଟ ୧୦୩.୫୫ କୋଟି ଟଙ୍କାର ଯେଉଁ ସେୟାର ବିକ୍ରି କରିଛି ତାହାକୁ ମଧୁର ବଜାଜ୍‌ ଓ ନୀଳିମା ବଜାଜ୍‌ ଟ୍ରଷ୍ଟ କିଣିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନୀଳିମା ହେଉଛନ୍ତି ମଧୁର ବଜାଜ୍‌ଙ୍କର ଝିଅ। ସେହିଭଳି ବଜାଜ୍‌ ଅଟୋରେ ନିରଭ ବଜାଜ୍‌ ଟ୍ରଷ୍ଟ ପକ୍ଷରୁ ୪୦୮.୨୦ କୋଟି ଟଙ୍କା ମୂଲ୍ୟର ଯେଉଁ ସେୟାର ବିକ୍ରି କରିଥିବାବେଳେ ବଜାଜ୍‌ ଫିନ୍‌ସର୍ଭରେ ଅନନ୍ତ ବଜାଜ୍‌ ଟ୍ରଷ୍ଟ ୫୯୭.୬୯ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି।

ସମ୍ବନ୍ଧିତ ଖବର