ଭୁବନେଶ୍ବର: କେନ୍ଦୁଝରର ବଲ୍ଦା ଖଣି ପାଇଁ ହୋଇଥିବା ଟେକ୍ନିକାଲ୍ ବିଡିଂରେ ପୁଣି ଥରେ ସିରାଜୁଦ୍ଦିନ ମାଇନ୍ସ୍ କମ୍ପାନିକୁ ସଫଳତା ମିଳିଛି। ଗତକାଲି ଏହି ଖଣି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲିଥିଲା। ଟେଣ୍ଡର୍ ପକାଇଥିବା ଅନ୍ୟ ୪ଟି କମ୍ପାନିଙ୍କୁ ପଛରେ ପକାଇ ସିରାଜୁଦ୍ଦିନ୍ ମାଇନ୍ସ୍ ସର୍ବାଧିକ ୧୧୮.୦୫%ରେ ଏହି ଖଣିକୁ ପୁଣି ଥରେ ହାତେଇଛି। ଏହାସହିତ ଏବେ ସୁଦ୍ଧା ମୋଟ୍ ୪ଟି ଖଣିର ଟେକ୍ନିକାଲ୍ ବିଡିଂ ଶେଷ ହୋଇଛି। ଆଜି କେନ୍ଦୁଝର ଗଣୁଆ ଲୁହା ପଥର ଖଣି ପାଇଁ ନିଲାମ ପ୍ରକ୍ରିୟା ଚାଲୁରହିଥିବା ବେଳେ ଆସନ୍ତାକାଲି ଝିଲଙ୍ଗ୍ ଲାଗ୍ଲୋଟା ଲୁହାପଥର ଖଣି ପାଇଁ ଟେକ୍ନିକାଲ୍ ବିଡିଂ କରିବାକୁ ଧାର୍ଯ୍ୟ କରାଯାଇଛି।
ଇସ୍ପାତ୍ ଓ ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତକାଲି ବଲ୍ଦା ଖଣି ପାଇଁ ହୋଇଥିବା ଟେକ୍ନିକାଲ୍ ବିଡିଂରେ ସିରାଜୁଦ୍ଦିନ ମାଇନ୍ସ୍ ସମେତ ଆଦାନି ଷ୍ଟିଲ୍, ରୁଙ୍ଗଟା ମାଇନ୍ସ୍, ଆର୍ସେଲର୍ ମିତ୍ତଲ୍ ଓ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଏସାର୍ ଷ୍ଟିଲ୍ ପକ୍ଷରୁ ଟେଣ୍ଡର ପକାଯାଇଥିଲା। ପୂର୍ବରୁ ଏହି ଖଣିର ଲିଜ୍ ସିରାଜୁଦ୍ଦିନକୁ ମିଳିଥିଲା। ସରକାରୀ ହିସାବ ଅନୁଯାୟୀ, ୩୩୫.୫୯୪ ହେକ୍ଟର ପରିମିତ ଏହି ଖଣିରେ ୨୧୦.୧୭ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ଅଛି। ସେହିପରି ଚଳିତବର୍ଷ ମାର୍ଚ୍ଚରେ ଲିଜ୍ ଅବଧି ସରୁଥିବା କେନ୍ଦୁଝରର ନୂଆଗାଁ ଖଣି ପାଇଁ ଗତ ୩୧ ତାରିଖରେ ଟେକ୍ନିକାଲ୍ ବିଡିଂ ହୋଇଥିଲା। ପୂର୍ବରୁ କେ.ଜେ.ଏସ୍ ଆହ୍ଲୁଓ୍ୱାଲିଆ ପାଖରେ ଥିବା ଏହି ଖଣି ଜେଏସ୍ଡବ୍ଲ୍ୟୁକୁ ମିଳିଛି। ସେହିପରି ଆର୍ଯ୍ୟନ୍ ମାଇନିଂ ହାତରେ ଥିବା କେନ୍ଦୁଝରର ନାରାୟଣପୋଷୀ ଲୁହାପଥର ଖଣି ବି ଜେଏସ୍ଡବ୍ଲ୍ୟୁକୁ ମିଳିଲା। ରାଜ୍ୟରେ ପୁଣି ଥରେ ବଡ଼ ପୁଞ୍ଚି ଖଟାଇବା ଲକ୍ଷ୍ୟରେ ଆର୍ସେଲର୍ ମିତ୍ତଲ ଠାକୁରାଣୀ ଲୁହା ପଥର ବ୍ଲକ୍ ପାଇବାରେ ସଫଳ ହୋଇଛି। ପୂର୍ବରୁ ଏହି ଠାକୁରାଣୀ ଖଣିର ଲିଜ୍ କେ.ପି ମାଇନିଂ ପାଖରେ ରହିଛି।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମଙ୍ଗଳବାର କେନ୍ଦୁଝର ଗଣୁଆ ଲୁହାପଥର ବ୍ଲକ୍ ପାଇଁ ଟେକ୍ନିକାଲ୍ ବିଡିଂ ଜାରି ରହିଥିଲା। ଏହି ଖଣି ପାଇଁ କେ.ଜେ.ଏସ୍ ଆହ୍ଲୁଓ୍ୱାଲିଆ, ରୁଙ୍ଗଟା ମାଇନ୍ସ୍, ଶ୍ୟାମ୍ ଷ୍ଟିଲ୍, ଜେ.ଏସ୍.ଡବ୍ଲ୍ୟୁ ଓ ଆମାଲଗମ୍ କମ୍ପାନି ଟେଣ୍ଡର ପକାଇଛନ୍ତି। ୮୬.୮୮୬ ହେକ୍ଟର ପରିମିତ ଗଣୁଆ ଖଣିରେ ୧୧୮.୯୧ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ରହିଛି। ବର୍ତ୍ତମାନ ଏହି ଖଣିର ଲିଜ୍ଧାରୀ ଥିବା ପି.କେ ଆହ୍ଲୁଓ୍ୱାଲିଆଙ୍କ ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ସରିଯିବ। ବୁଧବାର ଏସ୍ଏଲ୍ ମାଇନିଂ ହାତରେ ଥିବା କେନ୍ଦୁଝରର ଝିଲଙ୍ଗ୍ ଲାଗ୍ଲୋଟା ଖଣି ପାଇଁ ଟେକ୍ନିକାଲ୍ ବିଡିଂ କରାଯିବ। ୪୫୬.୧୦୦ ହେକ୍ଟର ପରିମିତ ଏହି ଖଣିରେ ୭୨.୮୪ ମିଲିୟନ୍ ଟନ୍ ଲୁହାପଥର ଗଚ୍ଛିତ ଅଛି।