ବନ୍ଦେ ଭାରତ ମିସନ୍‌-୩, ୧୫ ଘଣ୍ଟାରେ ୨୨ ହଜାର ଟିକଟ ବିକ୍ରି

ନୂଆଦିଲ୍ଲୀ: ବନ୍ଦେ ଭାରତ ମିସନର ତୃତୀୟ ପର୍ଯ୍ୟାୟରେ ବିଦେଶକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଗୁଡ଼ିକରେ ଯାତ୍ରା ପାଇଁ ମାତ୍ରାଧିକ ବ୍ୟଗ୍ରତା ଦେଖିବାକୁ ମିଳିଛି। ଟିକଟ ବୁକିଂ ଆରମ୍ଭ ହେବାର ୧୫ ଘଣ୍ଟା ମଧ୍ୟରେ ୨୨ ହଜାର ଟିକଟ ବିକ୍ରି ହୋଇଯାଇଛି। ଏହିସବୁ ବିମାନ ଭାରତରୁ ଆମେରିକା ଏବଂ ୟୁରୋପର ବିଭିନ୍ନ ଦେଶକୁ ଯାତ୍ରା କରିବ। କୋଟି କୋଟି ଲୋକ ଟିକଟ କିଣିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କେବଳ ୨୨ ହଜାର ଲୋକ ଟିକଟ ପାଇଥିଲେ।

ଶୁକ୍ରବାର ଅପରାହ୍ଣ ୫ଟାରୁ ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ଟିକଟ ବିକ୍ରି ହୋଇଥିଲା ଏହି ସମୟ ମଧ୍ୟରେ ୨୨ ହଜାରରୁ ଅଧିକ ଟିକଟ ବିକ୍ରି ହୋଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ତେବେ ଅନେକ ବ୍ୟକ୍ତି ଟିକଟ ନପାଇବା ଫଳରେ ସେମାନଙ୍କ କ୍ରୋଧ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଯାତ୍ରୀଙ୍କ ପ୍ରବଳ ଚାହିଦାକୁ ଦେଖି ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିସନର ତୃତୀୟ ପର୍ଯ୍ୟାୟରେ ଅଧିକ ଟିକଟ ଉପଲବ୍ଧ କରାଯିବ ବୋଲି କୁହାଯାଇଛି। ଚଳିତମାସ ୧୦ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ଏହି ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ପକ୍ଷରୁ ୟୁରୋପ, ଅଷ୍ଟ୍ରେଲିଆ, କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଆଫ୍ରିକାର ବିଭିନ୍ନ ସହରକୁ ପ୍ରାୟ ୩୦୦ ବିମାନ ଉଡ଼ାଣ କରିବ।

ସମ୍ବନ୍ଧିତ ଖବର