ବନ୍ଦେ ଭାରତ ଟ୍ରେନ: ୩ ବର୍ଷରେ ୪୦୦ ଟ୍ରେନ୍ ଗଡ଼ିପାରିବ ତ?

୩ ବର୍ଷ ଭିତରେ ଚାଲିଛି ୨ଟି, ରେଳବାଇରେ ୨.୬୫ ଲକ୍ଷ ପଦବି ଖାଲି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ପ୍ରସ୍ତାବରେ ଦେଶର ରେଳବାଇ ପାଇଁ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ଅଧିକ ଦକ୍ଷତାସଂପନ୍ନ ୪୦୦ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛନ୍ତି। ସରକାର ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍ ଆଣିବା ନେଇ ଘୋଷଣା କରିଥିବାବେଳେ ଗତ ତିନିବର୍ଷରେ ମାତ୍ର ୨ଟି ଟ୍ରେନ୍ ଆଣିପାରିଛନ୍ତି। ତେଣୁ ଏହି ଲକ୍ଷ୍ୟହାସଲ ଉପରେ ଏବେ ପ୍ରଶ୍ନ ଉଠିଲାଣି।ଅର୍ଥମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ ପରେ ରେଳମନ୍ତ୍ରୀ ଅଶ୍ବିନୀ ‌ବୈଷ୍ଣବ ସୂଚନା ଦେଇଥିଲେ ଯେ ଅଗଷ୍ଟ ଏବଂ ସେପ୍ଟେମ୍ବର ପରେ ଦେଶରେ ବନ୍ଦେ ଭାରତ ଟ୍ରେନ୍ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ ହେବ। ପ୍ରତିମାସରେ ୭ରୁ ୮ଟି ଟ୍ରେନ୍ ନିର୍ମାଣ ହୋଇ ରେଳଧାରଣାରେ ଗଡ଼ିବ। ମାସକୁ ୭ରୁ ୮ଟି ଟ୍ରେନ ନିର୍ମାଣ ହେଲେ ୩ ବର୍ଷରେ କିଭଳି ୪୦୦ ଟ୍ରେନ୍ ରେଳଧାରଣାରେ ଗଡ଼ିବ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ପ୍ରଥମେ ୨୦୧୯ ଫେବ୍ରୁଆରିରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। ସେହି ସମୟରେ ଉକ୍ତ ଟ୍ରେନର ନାମ ଟ୍ରେନ୍-୧୮ ରହିଥିଲା। ଦିଲ୍ଲୀରୁ ବାରଣାସୀକୁ ଉକ୍ତ ପ୍ରଥମ ଟ୍ରେନଟି ଚାଲିଥିଲା। ଦିଲ୍ଲୀରୁ ବାରଣାସୀ ମଧ୍ୟରେ କେବଳ ଦୁଇଟି ରହଣି ଥିଲା। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା କାନପୁର ଏବଂ ଅନ୍ୟଟି ପ୍ରୟାଗରାଜ। ଦ୍ବିତୀୟ ବନ୍ଦେ ଭାରତ ଟ୍ରେନଟି ଦିଲ୍ଲୀରୁ କଟରାକୁ ଚାଲିଛି। ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଟ୍ରେନ୍ ଅନେକ ସୁବିଧା ଆଣିଛି।
ଅର୍ଥମନ୍ତ୍ରୀ ବଜେଟରେ ଯଦିଓ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଘୋଷଣା କରିଛନ୍ତି ତଥାପି ବାସ୍ତବରେ ଏହା କେତେ ସମ୍ଭବ ତାହା ଉପରେ ଧ୍ୟାନ ଦେଇନାହାନ୍ତି। ରେଳଧାରଣା ଉପରେ ଏହି ଟ୍ରେନ ଚାଲିଲେ ଧାରଣାଗୁଡ଼ିକ କେତେ ମଜଭୁତ ଅଛି ତାହାକୁ ଦେଖିବାକୁ ହେବ। କାରଣ ଏହି ଟ୍ରେନ ଘଣ୍ଟାପ୍ରତି ୧୮୦ କିମି‌ ବେଗରେ ଗତି କରିବାର କ୍ଷମତା ରଖିଛି। ତେଣୁ ରେଳଧାରଣା ଉପରେ ଯେତେବେଳେ ବହୁସଂଖ୍ୟାରେ ଅଧିକ ବେଗଗାମୀ ଟ୍ରେନ ଗଡ଼ିବ ସେଥିପାଇଁ ରେଳଧାରଣାଗୁଡ଼ିକ ମଧ୍ୟ ଅଧିକ ସୁଦୃଢ଼ ହେବା ଆବଶ୍ୟକ।

୪୦୦ ନୂଆ ବନ୍ଦେ ଭାରତ ଟ୍ରେନର ନିର୍ମାଣ ପାଇଁ ପାଖାପାଖି ୫୦ ହଜାର କୋଟି ଟଙ୍କାର ନିବେଶ ଆବଶ୍ୟକ। ଏହି ରାଶି ଯଦି ଟ୍ରେନ ନିର୍ମାଣ ପାଇଁ ନିବେଶ ହୁଏ ତା’ହେଲେ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ୪୪ଟି ନୂଆ ବନ୍ଦେ ଭାରତ ଟ୍ରେନର ନିର୍ମାଣ ଚାଲିଛି। ଚଳିତବର୍ଷ ମେ ମାସରେ ଏହାର ପ୍ରଥମ ଏବଂ ଜୁନ ମାସରେ ଦ୍ବିତୀୟ ଟ୍ରେନର ପରୀକ୍ଷଣ ହେବ। ରେଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ମାସିକ ୫ରୁ ୭ଟି ଟ୍ରେନ ନିର୍ମାଣ ହେବ। ଆଇସିଏଫ୍ ଚେନ୍ନାଇ, ଏମସିଏଫ ରାଏବରେଲି ଏବଂ ଆରସିଏଫ କାପୁରତାଲାରେ ଏଗୁଡ଼ିକ ନିର୍ମାଣ ହେବ। ଏହାପରେ ୫୮ଟି ଟ୍ରେନର ନିର୍ମାଣ ହେବ। ଏଥିପାଇଁ ମେଧା, ସିମେନ୍ସ, ଭେଲ ଟିଟାଗର ୱାଗନ୍ସ ଏବଂ ବମ୍ବାଡିୟର ଭଳି ୯ଟି କମ୍ପାନି ଟେଣ୍ଡରରେ ସଫଳ ହୋଇଛନ୍ତି। ରେଳବାଇ ୩ ବର୍ଷରେ ୪୦୦ ଟ୍ରେନ୍ ଆଣିବା ନେଇ ଦୃଢ଼ ଆଶାବାଦୀ ଥିବାବେଳେ ସାଧାରଣରେ ଏହାକୁ ନେଇ ସନ୍ଦେହ ରହିଛି।

ନୂଆଦିଲ୍ଲୀ: ରେଳବାଇରେ ମୋଟ ୨ ଲକ୍ଷ ୬୫ ହଜାର ୫୪୭ ପଦବି ଖାଲି ଖାଲିପଡ଼ିଛି। ଏଥିରୁ ୨୧୭୭ଟି ଗେଜେଟେଡ୍ ପଦବି ହୋଇଥିବା‌ବେଳେ ୨ ଲକ୍ଷ ୬୩ ହଜାର ୩୭୦ଟି ଅଣଗେଜେଟେଡ ପଦବି ରହିଛି। ‌ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ରେଲୱେରେ ୫୬ଟି ଗେଜେଟେଡ୍ ଏବଂ ୨୭୧୭୭ଟି ଅଣଗେଜେଟେଡ ପଦବି ଖାଲି ପଡ଼ିଛି। ସେହିଭଳି ଇଷ୍ଟ କୋଷ୍ଟ ରେଲୱେରୋ ୮୭ଟି ଗେଜେଟେଡ ଏବଂ ୮୪୪୭ଟି ଅଣଗେଜେଟେଡ୍ ପଦବି ଖାଲି ପଡ଼ିଛି ବୋଲି ରେଳମନ୍ତ୍ରୀ ଏକ ଲିଖିତ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର