ବ୍ୟାଙ୍କ ୪ ଦିନ ବନ୍ଦ ରହିବ: ୨୬ରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ମାସରେ ରାଜ୍ୟରେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ମାସର ଶେଷ ସପ୍ତାହରେ ଦୁଇ ଦିନ ପାଇଁ ଧର୍ମଘଟ କରିବାକୁ ୪ଟି ବ୍ୟାଙ୍କ ସଂଘ ଧମକ ଦେଇଛନ୍ତି। ସେମାନେ ଆସନ୍ତା ୨୬ ଓ ୨୭ରେ ଧର୍ମଘଟ କରିବେ। ତେଣୁ ସେହି ଦୁଇ ଦିନ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ୨୮ ତାରିଖ ଚତୁର୍ଥ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ ଏବଂ ଏହାର ପରଦିନ ରବିବାର ହେତୁ ସ୍ବାଭାବିକ ଭାବେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ସେ‌େପ୍ଟମ୍ବର ୩୦ ଓ ଅକ୍ଟୋବର ୧ରେ ବ୍ୟାଙ୍କ ଖୋଲାରହିବ। ପୁଣି ଦୁଇ ତାରିଖରେ ଗାନ୍ଧୀ ଜୟନ୍ତୀ ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ମିଶ୍ରଣ ପ୍ରତିବାଦରେ ୪ଟି ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଆସନ୍ତା ୨୬ ତାରିଖରୁ ଦୁଇ ଦିନିଆ ଧର୍ମଘଟ ଧମକ ଦିଆଯାଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ)କୁ ଧର୍ମଘଟ ନେଇ ଯେଉଁ ୪ଟି ସଂଘ ମିଳିତ ଭ‌ାବେ ଧର୍ମଘଟ ନୋଟିସ ପ୍ରଦାନ କରିଛନ୍ତି ସେମାନେ ହେଲେ ଏଆଇବିଓସି, ଏଆଇବିଓଏ, ଆଇଏନ୍‌ବିଓସି ଏବଂ ଏନ୍‌ଓବିଓ। ଏହାପରେ ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରୁ ବିଭିନ୍ନ ଦାବି ପୂରଣ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବେ ବୋଲି ସଂଘର ଜଣେ ନେତା କହିଛନ୍ତି। ଅନ୍ୟଦାବି ଗୁଡ଼ିକ ମଧ୍ୟରେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସକୁ ତୁରନ୍ତ କାର୍ଯ୍ୟକାରୀ କରିବା, ବ୍ୟାଙ୍କରେ ନଗଦ କାରବାର ପାଇଁ ରହିଥିବା ସମୟସୀମାକୁ କମାଇବା ଆଦି ରହିଛି।

ସେପ୍ଟେମ୍ବର ୨୫ ମଧ୍ୟରାତ୍ରିରୁ ୨୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ କରିବେ। ବ୍ୟାଙ୍କ ମିଶ୍ରଣକୁ ବିରୋଧ ଏବଂ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏହି ଧର୍ମଘଟ କରାଯିବ ବୋଲି ଏଆଇବିଓସି ଚଣ୍ଡିଗଡ଼ର ସାଧାରଣ ସମ୍ପାଦକ ଦୀପକ କୁମାର ଶର୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତମାସ ୩୦ ତାରିଖରେ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବା ଲାଗି ଘୋଷଣା କରିଥିଲେ। ଏହି ମିଶ୍ରଣ କାର୍ଯ୍ୟକାରୀ ହେବା ପରେ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୯ରୁ ୧୨କୁ ଖସି ଆସିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ସିଣ୍ଡିକେଟ୍ ବ୍ୟାଙ୍କ କାନାରା ବ୍ୟାଙ୍କ ସହ ମିଶିବ। ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶିବ। ୟୁନିୟନ ବ୍ୟାଙ୍କ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କର ମିଶ୍ରଣ ହେବ।

ସମ୍ବନ୍ଧିତ ଖବର