ଲେଖାଥିବା ନୂଆ ନୋଟ୍‌କୁ ମନା କରିପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ: ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ରେ ଯଦି କିଛି ଲେଖାହୋଇଥାଏ ତାହେଲେ ସେହି ନୋଟ୍‌କୁ ନେବା ଲାଗି କୌଣସି ବ୍ୟାଙ୍କ ମନା କରିପାରିବେ ନାହିଁ। ତେବେ ଏହି ନୋଟ୍‌କୁ ବ୍ୟାଙ୍କ ବଦଳାଇ ଦେବ ନାହିଁ। ଯେଉଁମାନେ ଏହି ନୋଟ୍‌ ନେଇଥିବେ ସେମାନଙ୍କ ବ୍ୟକ୍ତିଗତ ଖାତାରେ ସେହି ନୋଟ୍‌କୁ ଜମା କରିପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଲୋକଙ୍କୁ ନୋଟ୍‌ ସମ୍ପର୍କରେ ସଚେତନ କରାଯାଉଛି। ଏଥିସହିତ ଡିଜିଟାଲ କାରବାରରେ ଯୋଡ଼ି ହେବା ଲାଗି ମଧ୍ୟ କୁହାଯାଉଛି। ପ୍ରଗତି ମଇଦାନ୍‌ର ହଲ-୧୮ରେ ରିଜର୍ଭ ବ୍ୟାଙ୍କର ଏହି ଷ୍ଟଲ ସ୍ଥାପନ ହୋଇଛି। ଏଠାରେ ଲୋକମାନେ ନୋଟ୍‌ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କ କହିବାନୁଯାୟୀ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କିତ ଭ୍ରମ ଦୂର କରାଯାଇଛି। ଏଠାରେ ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି ଯେ ନୋଟ ଉପରେ କିଛି ଲେଖା ହୋଇଥିଲେ କିମ୍ବା ରଙ୍ଗ ଲାଗି ଯାଇଥିଲେ ସେହି ନୋଟ୍‌ ଅଚଳ ହେବ ନାହିଁ। ବ୍ୟାଙ୍କ ମଧ୍ୟ ଏହାକୁ ନେବାକୁ ମନା କରିପାରିବେ ନାହିଁ। ତେବେ ଏହି ନୋଟ୍‌କୁ ବ୍ୟାଙ୍କରେ ବଦଳ କରାଯାଇପାରିବ ନାହିଁ। କିନ୍ତୁ ଖାତାରେ ଜମା କରାଯାଇପାରିବ। ଅସଲି ଓ ନକଲି ନୋଟ୍‌କୁ କିଭଳି ଚିହ୍ନଟ କରିବ ସେ ନେଇ ଷ୍ଟଲରେ ସୂଚନା ପ୍ରଦାନ କରାଯାଉଛି। ନୂଆକରି ଆସିଥିବା ୫୦୦, ୨୦୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ରେ ୧୭ଟି ବୈଶିଷ୍ଟ୍ୟ ଥିବାବେଳେ ନୂଆ ୫୦ ଟଙ୍କିଆ ନୋଟ୍‌ରେ ୧୪ଟି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର