ଚେନ୍ନାଇ: ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କ ଦ୍ୱାରା ପିଏନ୍ବିରେ କରାଯାଇଥିବା ଠକେଇକୁ ନେଇ ଚର୍ଚା ଥମି ନଥିବା ବେଳେ ପୁଣି ଏକ ଗହଣା ସଂସ୍ଥାର ଋଣ ଠକେଇ ସାମ୍ନାକୁ ଆସିଛି। କନିଷ୍କ ଗୋଲ୍ଡ ନାମକ ଏହି ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪ କୋଟି ଟଙ୍କା ଠକି ନେଇଛି। ଏବେ ଯଦି ସୁଧକୁ ମିଶାଯିବ ତେବେ ଠକେଇ ପରିମାଣ ୧୦୦୦ କୋଟି ଟଙ୍କାରୁ ଅଧିକ ହେବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ ଏହି ବ୍ୟାଙ୍କଗୁଡ଼ିକ କନିଷ୍କ ଗୋଲ୍ଡକୁ ଋଣ ଦେଇଥିଲେ। ଗତବର୍ଷ ସେହି ଋଣକୁ ଏନ୍ପିଏ ଘୋଷଣା କରାଯାଇଥିଲା। କନିଷ୍କ ଗୋଲ୍ଡ ଋଣ ନଶୁଝିବାରୁ ପରବର୍ତି କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଚଳିତ ବର୍ଷ ଜାନୁଆରିରେ ସବୁ ବ୍ୟାଙ୍କ ଏକ ବୈଠକରେ ଏକତ୍ରୀତ ହୋଇଥିଲେ। ସେହି ଋଣକୁ ଜାଲିଆତି ବୋଲି ଘୋଷଣା କରାଯାଇଥିଲା।
ଏହି ଠକେଇ ବିଷୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସିବିଆଇ ନିକଟରେ ମାମଲା ଦାୟର କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ବ୍ୟାଙ୍କରୁ ନିଆଯାଇଥିବା ଋଣ ଅର୍ଥକୁ ଏହି ସଂସ୍ଥା ଅନ୍ୟତ୍ର ସ୍ଥାନାନ୍ତର କରିଛି। ପାଖାପାଖି ୧୯୦ କୋଟି ଟଙ୍କାର ଋଣ ଅଲଗା ବ୍ୟବହାର କରାଯାଇଛି। ତେବେ ବ୍ୟାଙ୍କଗୁଡ଼ିକର ଏହି ଅଭିଯୋଗକୁ କନିଷ୍କ ଗୋଲ୍ଡର ନିର୍ଦେଶକ ଭୁପେଶ କୁମାର ଜୈନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ବ୍ୟାଙ୍କ ଋଣକୁ ଅନ୍ୟତ୍ର ବ୍ୟବହାର କରାଯାଇନାହିଁ। ଆମେ ବ୍ୟାଙ୍କଗୁଡ଼ିକ ସହିତ ନିୟମିତ ଆଲୋଚନା କରୁଛୁ। ଆମ ପାଖରେ ଦୁଇ ନିବେଶକ ମଧ୍ୟ ଅଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନାହାନ୍ତି। ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲେଖିଥିବା ଚିଠିରେ ଜଣାଇଛି ଯେ କନିଷ୍କ ଗୋଲ୍ଡ ନିୟମିତ ଭାବେ ଏହାର ସମ୍ପତ୍ତି ଓ କାବରାର ରାଜସ୍ୱ ପରିମାଣରେ ବୃଦ୍ଧି ହେଉଥିବା ଜଣାଉଥିଲା। ୨୦୦୮ରେ ଏହି ସଂସ୍ଥାର ସମ୍ପତ୍ତି ୨୪ କୋଟି ଓ ରାଜସ୍ୱ ୧୮୦ କୋଟି ଟଙ୍କା ଥିଲା। ୨୦୧୬ ମାର୍ଚ ଶେଷ ବେଳକୁ ସମ୍ପତ୍ତି ପରିମାଣ ୯୮୦ କୋଟି ଟଙ୍କା ଓ ରାଜସ୍ୱ ୧୭୮୦ କୋଟି ଟଙ୍କା ହୋଇଥିବା କନିଷ୍କ ଗୋଲ୍ଡ ଜଣାଇଥିଲା। ସେହି ଅନୁସାରେ ଏହି ସଂସ୍ଥାକୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ଓ କାର୍ଯ୍ୟକାରୀ ପୁଞ୍ଜି ପ୍ରଦାନ କରାଯାଉଥିଲା। ମାତ୍ର ଏକ ଫରେନ୍ସିକ୍ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ କିଛି ଅଡିଟର୍ ଓ ଅପରାଧିକ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିବିଶେଷଙ୍କ ସହିତ ସାମିଲ ହୋଇ ଏହି ସଂସ୍ଥା ବ୍ୟାଙ୍କଗୁ୍ଡ଼ିକୁ ଠକୁଛି। ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରି ବେଆଇନ ଲାଭ ହାସଲ କରୁଛି।
ଏହି ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ସୋ’ରୁମ୍ ସ୍ଥାପନ କରି କାରବାର କରୁଥିଲା। ଗତବର୍ଷଠାରୁ ଏହାର କାରବାର ବନ୍ଦ ହୋଇଯାଇଛି। ଗୁରୁତର ଆର୍ଥିକ ସମସ୍ୟା ଥିବା ଦର୍ଶାଇ କଂପାନି କାରବାର ବନ୍ଦ କରିଦେଇଛି। କନିଷ୍କ ଗୋଲ୍ଡକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ପିଏନ୍ବି, ୟୁନିଅନ୍ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏଚ୍୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କ ଋଣ ଦେଇଥିଲେ।
୯୧ ଖିଲାପୀଙ୍କୁ ନୋ-ଫ୍ଲାଏ ତାଲିକାରେ ସାମିଲ କରାଯିବ
ନୂଆଦିଲ୍ଲୀ: ଋଣ ଶୁଝିବାର କ୍ଷମତା ଥିବା ସତ୍ତ୍ୱେ ବ୍ୟାଙ୍କଠାରୁ କୋଟି କୋଟି ଟଙ୍କା ଋଣ ନେଇ ଫେରାଉ ନଥିବା ୯୧ ଜଣ ଋଣ ଖିଲାପୀଙ୍କୁ ନୋ-ଫ୍ଲାଏ ତାଲିକାରେ ସାମିଲ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ଭଳି ବ୍ୟବସାୟୀ ବହୁ କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ଚାଲିଯିବା ପରେ ସରକାର ସଜାଗ ହୋଇଯାଇଛନ୍ତି। ଋଣ ଖିଲାପୀମାନଙ୍କ ବିଦେଶ ଗସ୍ତ ଓ ବିମାନ ଯାତ୍ରା ଉପରେ କଟକଣା ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖିଲାପୀମାନଙ୍କୁ ନୋ-ଫ୍ଲାଏ ତାଲିକାରେ ସାମିଲ କଲେ ସେମାନେ ବିମାନରେ ଯାତାୟାତ କରିପାରିବେ ନାହିଁ। ଫଳରେ ସେମାନଙ୍କ ପାଇଁ ଦେଶ ଛାଡ଼ିବା ସହଜ ହେବନି।