ବ୍ୟାଙ୍କ ସଂଘର ବିରୋଧ, କଳା ଦିବସ ପାଳନ କରିବ

ନୂଆଦିଲ୍ଲୀ: ଦଶ ବଡ଼ ବ୍ୟାଙ୍କର ମିଶ୍ରଣକୁ ବ୍ୟାଙ୍କ ସଂଘଗୁଡ଼ିକ ଘୋର ବିରୋଧ କରିଛନ୍ତି। ଏହି ପଦକ୍ଷେପ ପଛରେ ସରକାରଙ୍କର ସେଭଳି କୌଣସି ବଳିଷ୍ଠ ଯୁକ୍ତି ନାହିଁ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି, ସରକାର ଯେଉଁ ପ୍ରସ୍ତାବ ଆଣିଛନ୍ତି ତାହା ପଛରେ କୌଣସି ତର୍କ ନାହିଁ। ନା ଏଥିରେ ଦୁର୍ବଳ ବ୍ୟାଙ୍କକୁ ସବଳ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି ନା ମିଶ୍ରଣ ବେଳେ ଭୌଗୋଳିକ ସ୍ଥିତିକୁ ବିଚାରକୁ ନିଆଯାଇଛି। କୋଲକାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ୟୁନାଇଟେଡ୍‌ ବ୍ୟାଙ୍କକୁ ଦିଲ୍ଲୀରେ ମୁଖ୍ୟ କାର୍ଯ୍ୟାଳୟ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ଦେଶର ଅର୍ଥନୀତି ଘୋର ସଙ୍କଟ ସମୟ ଦେଇ ଗତି କରୁଥିବା ଭଳି ଏକ ସମୟରେ ସରକାର ମିଶ୍ରଣ ଭଳି ପ୍ରସ୍ତାବ ଆଣିଛନ୍ତି। ଯେତେବେଳେ ସ୍ଥିରତା ଦରକାର ସେତେବେଳେ ସରକାର ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ସଂଘ ପକ୍ଷରୁ କୁହାଯାଇଛି, ଷ୍ଟେଟ୍‌ ବ୍ୟାଙ୍କର ମିଶ୍ରଣ ବେଳେ ୧୦୦୦ରୁ ଅଧିକ ଶାଖା ଓ ବ୍ୟାଙ୍କ ଅଫ୍ ବରୋଦା ମିଶ୍ରଣ ବେଳେ ୫୦୦ରୁ ଅଧିକ ଶାଖା ବନ୍ଦ ହୋଇଛି। ଗୋଟିଏ ପଟେ ସରକାର ଜନ ଧନ ଯୋଜନା ଲାଗୁ କରୁଛନ୍ତି ଅନ୍ୟ ପଟେ ବ୍ୟାଙ୍କ ଶାଖା ବନ୍ଦ ହେଉଛି। ଅଧିକ ଲୋକଙ୍କୁ ବ୍ୟାଙ୍କ ସେବା ପ୍ରଦାନ ଲକ୍ଷ୍ୟ କିଭଳି ହାସଲ ହୋଇପାରିବ ବୋଲି ସଂଘ ପ୍ରଶ୍ନ କରିଛି। ମିଶ୍ରଣକୁ ବିରୋଧ କରି ଶନିବାର ଦିନ ସଂଘ ପକ୍ଷରୁ କଳା ଦିବସ ପାଳନ କରାଯିବ। ଆଗାମୀ ଦିନରେ ବିରୋଧକୁ ଜୋରଦାର କରାଯିବ ବୋଲି ବ୍ୟାଙ୍କ ସଂଘ କହିଛି।

ସମ୍ବନ୍ଧିତ ଖବର