ବ୍ୟାଙ୍କ ସିଇଓଙ୍କ ଦରମାରେ ଲଗାମ ଲାଗିବ

ମୁମ୍ବାଇ,: ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସିଇଓଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କଡ଼ା ନିୟମ ପ୍ରସ୍ତୁତ କରୁଛି। ସିଇଓଙ୍କ ଦରମା ବ୍ୟାଙ୍କର ପ୍ରଦର୍ଶନ ଉପରେ ନିର୍ଭର କରିବ। ବ୍ୟାଙ୍କ ଯଦି ଭଲ ପ୍ରଦର୍ଶନ କରିବ ତେବେ ସିଇଓଙ୍କୁ ଭଲ ଦରମା ମିଳିବ।
ଏବେ ପ୍ରଚଳିତ ଥିବା ନିୟମ ଅନୁଯାୟୀ, ବ୍ୟାଙ୍କର ବ୍ୟବସାୟ, ନିୟନ୍ତ୍ରଣ ଓ ବିପଦକୁ ସାମ୍ନା କରିବାର ପ୍ରସ୍ତୁତି ଆଦି ବିଷୟ ବିଚାରକୁ ନେଇ ସିଇଓମାନଙ୍କ ବେତନ ନିର୍ଧାରଣ କରାଯାଉଛି। କିନ୍ତୁ ରିଜର୍ଭ ବ୍ୟାଙ୍କ ଯେଉଁ ନୂଆ ନିୟମ ପ୍ରସ୍ତୁତ କରୁଛି ‌ସେଥିରେ ବ୍ୟାଙ୍କ ପ୍ରଦର୍ଶନ, ବାଲାନ୍ସ ସିଟ୍‌ର ଆକାର, ଋଣ, ଲାଭ ଓ ପ୍ରଶାସନ ଆଦିକୁ ବିଚାରକୁ ନିଆଯିବ। ଆଗାମୀ ଦିନରେ ବରିଷ୍ଠ ଅଧିକାରୀମାନଙ୍କ ବେତନ ସଂଶୋଧନ ଉପରେ ବିଚାର କରିବା ବେଳେ ବ୍ୟାଙ୍କର ବୋର୍ଡ ଏହି ସବୁ ମାନଦଣ୍ଡ ବିଚାରକୁ ନେବେ।
ସାଧାରଣତଃ, ବ୍ୟାଙ୍କ ବୋର୍ଡ ପକ୍ଷରୁ ସିଇଓଙ୍କ ଦରମା ନିଷ୍ପତ୍ତି ଗ୍ରହଣ କରାଯିବା ପରେ ସେହି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଇ ଦିଆଯାଏ। ରିଜର୍ଭ ବ୍ୟାଙ୍କ ତାହାକୁ ଅନୁଧ୍ୟାନ କରିବା ପରେ ପ୍ରସ୍ତାବକୁ ମଞ୍ଜୁରି ଦିଅନ୍ତି ଅନ୍ୟଥା ଦରମା କମ୍ କରିବାକୁ ପରାମର୍ଶ ଦେଇଥାନ୍ତି। ରିଜର୍ଭ ବ୍ୟାଙ୍କ ଯେଉଁ ନୂଆ ନିୟମ ପ୍ରସ୍ତୁତ କରୁଛି ତାହା କାର୍ଯ୍ୟକାରୀ ହେଲେ ବ୍ୟାଙ୍କର ବୋର୍ଡକୁ ଆଉ ଅନ୍ଧାରରେ ବାଡ଼ି ବୁଲାଇବାକୁ ପଡ଼ିବ ନାହିଁ। ନିର୍ଦିଷ୍ଟ ମାନଦଣ୍ଡଗୁଡ଼ିକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଦରମା ଧାର୍ଯ୍ୟ କରାଯିବ।
ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ ଠିକ୍ ଭାବେ ନିୟନ୍ତ୍ରଣ ରଖିପାରୁନାହିଁ ବୋଲି ଅତୀତରେ ଅଭିଯୋଗ ହୋଇଥିଲା। ବିଶେଷ କରି ଏନ୍‌ପିଏ ସଙ୍କଟ ସାମ୍ନାକୁ ଆସିବା ପରେ ଏକ ନିୟାମକ ସଂସ୍ଥା ଭାବେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା। ଏସବୁକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ନିଜ କାର୍ଯ୍ୟଶୈଳୀ ବଦଳାଇବା ଉପରେ କାମ କରୁଛି।

ସମ୍ବନ୍ଧିତ ଖବର