ବଜେଟ ଯୋଗୁଁ ଶନିବାର ଦିନ ଷ୍ଟକବଜାର ଖୋଲା ରହିବ, କିନ୍ତୁ ବ୍ୟାଙ୍କ ବନ୍ଦ ରହିବ

ବଜେଟ ଯୋଗୁଁ ଶନିବାର ଦିନ ଷ୍ଟକବଜାର ଖୋଲା ରହିବ

ଭୁବନେଶ୍ୱର : ଆସନ୍ତା ଶନିବାରଦିନ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଆର୍ଥିକ ମାନ୍ଦାବସ୍ଥା ବିଶେଷକରି ବ୍ୟାଙ୍କଗୁଡ଼ିକର ସୁଧାର ପାଇଁ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଶନିବାର ସାଧାରଣତଃ ବନ୍ଦ ରହୁଥିବା ଷ୍ଟକବଜାର ଖୋଲା ରହିବ । କିନ୍ତୁ ଧର୍ମଘଟ ଯୋଗୁଁ ସେହିଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଶନିବାରଦିନ ସାଧାରଣତଃ ଷ୍ଟକ ବଜାର ବନ୍ଦ ରହେ । ତେବେ କେତେକ ବିଶେଷ ତିଥି ଯେପରିକି ଦିପାବଳୀରେ ସ୍ୱତନ୍ତ୍ର ଟ୍ରେଡିଂ ସେସନ ପାଇଁ ଷ୍ଟକବଜାର ଖୋଲିଥାଏ । ଏଥର ବଜେଟ ପାଇଁ ଶନିବାରଦିନ କାରବାର ଜାରି ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାରଦିନ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ଯୋଗୁଁ ଓଡ଼ିଶା ସମେତ ଦେଶରେ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିଛି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ କାରବାର ବନ୍ଦ ରହିବ । ଫେବ୍ରୁଆରୀ ୨ ତାରିଖ ରବିବାର ଯୋଗୁଁ ସ୍ୱାଭାବିକଭାବେ ବ୍ୟାଙ୍କ ବନ୍ଦ ରହିବ । ଅବଶ୍ୟ ଏହି ଦିନଗୁଡ଼ିକରେ ଏଟିଏମଗୁଡ଼ିକ ଚାଲୁରହିବ । ଦରମା ବୃଦ୍ଧି ପ୍ରସଙ୍ଗରେ ଇଣ୍ଡିଆନ ବ୍ୟାଙ୍କ ସଂଘ ସହିତ ଚାଲିଥିବା କଥାବାର୍ତ୍ତା ବିଫଳ ହେବାରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି ।

ସମ୍ବନ୍ଧିତ ଖବର