ବ୍ୟାଙ୍କ ଠକେଇ: ସହଯୋଗ କରିବେନି ନିରବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୨ ହଜାର କୋଟି ଟଙ୍କା ଠକେଇର ତଦନ୍ତ କରୁଥିବା ସିବିଆଇ ନିକଟରେ ହାଜର ହେବାକୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ମନା କରିଦେଇଛନ୍ତି। ସିବିଆଇ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଥିଲା। ଏହାର ଉତ୍ତରରେ ନିରବ ଜଣାଇଛନ୍ତି ଯେ ତଦନ୍ତରେ ମୁଁ ସହଯୋଗ କରିପାରିବି ନାହିଁ। ଏବେ ବିଦେଶରେ ମୁଁ ବ୍ୟବସାୟ କାମରେ ବ୍ୟସ୍ତ ଅଛି। ନିରବ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ ଯେହେତୁ ମୋର ପାସପୋର୍ଟ ରଦ୍ଦ କରିଦିଆଯାଇଛି ତେଣୁ ମୁଁ ଯାତାୟାତ କରିପାରିବନି ନାହିଁ। ଏହା ଜାଣିବା ପରେ ସିବିଆଇ ପକ୍ଷରୁ ନିରବଙ୍କୁ କୁହାଯାଇଛି ଯେ, ତୁମେ ଯେଉଁ ରାଷ୍ଟ୍ରରେ ଅଛ ସେଠାରେ ଥିବା ଭାରତୀୟ ଦୂତାବାସରେ ଯୋଗାଯୋଗ କର। ତୁମକୁ ଭାରତ ଆଣିବାର ସବୁ ବ୍ୟବସ୍ଥା ଆମେ କରିଦେବୁ। ଆସନ୍ତା ସପ୍ତାହରେ ଜେରା ପାଇଁ ହାଜର ହେବାକୁ ସିବିଆଇ ନିରବଙ୍କୁ କହିଛି। ଇ-ମେଲ୍‌ ଜରିଆରେ ନିରବଙ୍କୁ ସମନ ଜାରି କରାଯାଇଥିଲା। ପିଏନ୍‌ବି ମାମଲାର ତଦନ୍ତ କରୁଥିବା ଅନ୍ୟ ଏକ ଏଜେନ୍ସି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ନିରବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ପାଇଁ ଅଦାଲତରେ ଆବେଦନ କରାଯାଇଛି। ଇଡି ପକ୍ଷରୁ ଜାରି କରାଯାଉଥିବା ସମନର କୌଣସି ଉତ୍ତର ନିରବ ଦେଉନାହାନ୍ତି। ସିବିଆଇ ପକ୍ଷରୁ ଆଜି ଇଣ୍ଟରନାଲ୍‌ ଅଡିଟର୍‌ ଏମ୍‌ କେ ଶର୍ମାଙ୍କୁ ଗିରଫ କରାଯାଇଛି। ପିଏନ୍‌ବି ଠକେଇ ହୋଇଥିବା ମୁମ୍ବାଇର ବ୍ରାଡି ହାଉସ୍‌ ଶାଖାରେ ସେ ଅଡିଟର ଭାବେ କାମ କରୁଥିଲେ। ଶାଖାର ବ୍ୟବସ୍ଥା ଅଡିଟ୍‌ କରିବା ଏବଂ ସେଥିରେ ଥିବା ସମସ୍ୟା ବିଷୟରେ ଜୋନାଲ୍‌ କାର୍ଯ୍ୟାଳୟକୁ ସୂଚନା ଦେବାର ଦାୟିତ୍ୱ ତାଙ୍କର ଥିଲା। ଆୟକର ବିଭାଗ ପକ୍ଷରୁ ଆଜି ନିରବ ମୋଦି ଏବଂ ମେହୁଲ୍‌ ଚୋକ୍‌ସିଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍‌ କରାଯାଇଛି। ଅପରାଧିକ ତଦନ୍ତ ଚାଲିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ପରିଚୟ ହାସଲ କରିବା କିମ୍ବା ତାଙ୍କ ବିଷୟରେ ସୂଚନା ହାସଲ କରିବା ପାଇଁ ଏହି ନୋଟିସ୍‌ ଜାରି କରାଯାଏ। ଏହି ନୋଟିସ୍‌ର ଅବଧି ଏକ ବର୍ଷ ପର୍ଯ୍ୟନ୍ତ ରହିବ। ଆୟକର ବିଭାଗ ପକ୍ଷରୁ ନିରବଙ୍କ ଆହୁରି କେତେକ ସମ୍ପତ୍ତି ଜବତ କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର