ବ୍ୟାଙ୍କ ଠକେଇ: ଚେତିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ପିଏନ୍‌ବିରୁ ନିରବ ମୋଦିଙ୍କ ଠକେଇ ପରେ ରିଜର୍ଭ ବ୍ୟାଙ୍କ ତତ୍ପର ହୋଇ ଉଠିଛି। ଠକେଇର ଖୋଳତାଡ଼ କରିବା ଲାଗି ରିଜର୍ଭ ବ୍ୟାଙ୍କ ସରକାରୀ ବ୍ୟାଙ୍କ ଗୁଡ଼ିକର ସ୍ୱତନ୍ତ୍ର ଅଡିଟ୍‌ କରିବ। ଏହି ଅଡିଟ୍‌ରେ ରିଜର୍ଭ ବ୍ୟାଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଟ୍ରେଡ୍‌ ଫାଇନାନ୍ସ ବା ବିଶେଷକରି ବ୍ୟାଙ୍କ ଗ୍ୟାରେଣ୍ଟି(ଏଲ୍‌ଓୟୁ) ଉପରେ ପ୍ରାଧାନ୍ୟ ଦେବ। ଏତଦ୍‌ବ୍ୟତୀତ ବ୍ୟାଙ୍କ ଗୁଡ଼ିକ କେତେ ପରିମାଣର ଏଲ୍‌ଓୟୁ ଜାରି କରିଛନ୍ତି ତାହାର ବିସ୍ତତ ତଥ୍ୟ ମଧ୍ୟ ରିଜର୍ଭ ବ୍ୟାଙ୍କ ମାଗିଛି। ସେହିଭଳି କେତେ ଟଙ୍କା ବାକି ରହିଛି ତାହାର ତଥ୍ୟ ମଧ୍ୟ ଦେବାକୁ କୁହାଯାଇଛି। ଏଥିସହିତ କ୍ରେଡିଟ୍‌ ଲିମିଟ ସଂକ୍ରାନ୍ତ ତଥ୍ୟ ମଧ୍ୟ ମାଗିଛି। ନିକଟ ଅତୀତରେ ଯେତେସବୁ ବ୍ୟାଙ୍କ ଠକେଇ ପଦାକୁ ଆସିଛି ସେଗୁଡ଼ିକ ବାଣିଜ୍ୟ ପାଇଁ ଅର୍ଥ ଯୋଗାଣକୁ ନେଇ ହୋଇଛି। ସେହିଭଳି ବାଣିଜ୍ୟ ପାଇଁ ଋଣ ନେଇଥିବା କ୍ଷେତ୍ରରେ ମଧ୍ୟ ଅନେକ ସଂସ୍ଥା ବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଜାଣିଶୁଣି ଋଣ ପରିଶୋଧ କରୁନାହାନ୍ତି। ପିଏନ୍‌ବି ଅଧିକାରୀଙ୍କୁ ହାତକରି ନକଲି ଏଲ୍‌ଓୟୁ ମାଧ୍ୟମରେ ନିରବ ମୋଦି ଓ ମେହୁଲ ଚୋକ୍‌ସି ୧୨,୬୪୬ କୋଟି ଟଙ୍କା ଠକି ନେଇଥିବା ଘଟଣା ପଦାକୁ ଆସିବା ପରେ ଦିଲ୍ଲୀର ହୀରା ଗହଣା ବ୍ୟବସାୟ ପ୍ରତିଷ୍ଠାନ ଦ୍ୱାରକା ଦାସ ସେଠ ଇଣ୍ଟରନ୍ୟାସନାଲ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରୁ ୩୯୦ କୋଟି ଟଙ୍କା ଠକି ନେଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ସିବିଆଇରେ ମଧ୍ୟ ମାମଲା ରୁଜୁ ହୋଇଛି। ସେହିଭଳି ଦିଲ୍ଲୀର ଜଣେ ବ୍ୟବସାୟୀ ବ୍ୟାଙ୍କ ଅଫ୍‌ ବରୋଦାକୁ ୨୦୧୫ ମସିହାରେ ୬୦୦୦ କୋଟି ଟଙ୍କା ଠକିଥିବା କୁହାଯାଉଛି।

ନିୟାମକ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ
ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନିୟାମକ ଭାବେ ଦକ୍ଷତାକୁ ନେଇ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। ବୀମା କଂପାନିଗୁଡ଼ିକୁ ଆଇଆରଡିଏଆଇକୁ ଏବଂ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା କଂପାନିଗୁଡ଼ିକ ସେବିକୁ ଯେଭଳି ଭୟ କରୁଛନ୍ତି, ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକ ରିଜର୍ଭ ବ୍ୟାଙ୍କକୁ ସେଭଳି ଭୟ କରୁନଥିବା ଚର୍ଚା ହେଉଛି। ଏହାର କାରଣ ହେଉଛି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେଭଳି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଧୀରେ ଧୀରେ ରିଜର୍ଭ ବ୍ୟାଙ୍କର କାମ କରିବା ଶୈଳୀ ଦୁର୍ବଳ ହୋଇଗଲାଣି ବୋଲି ମଧ୍ୟ ଚର୍ଚା ହେଉଛି। ବ୍ୟାଙ୍କିଙ୍ଗ ନିୟାମକ ପାଇଁ ଡେପୁଟି ଗଭର୍ଣ୍ଣର ପଦବୀ ସାଢ଼େ ଆଠ ମାସ ହେଲାଣି ଖାଲି ପଡ଼ିଛି। ଏହାକୁ ପୂରଣ କରିବାକୁ ପ୍ରୟାସ କରାଯାଉନାହିଁ। ସରକାରୀ ବ୍ୟାଙ୍କଗୁଡ଼ିକ ଦୁର୍ବଳ ହେବା ଏବଂ ସେମାନଙ୍କୁ ପୁନରୁଦ୍ଧାର କରିବା ପାଇଁ ସରକାର ନିଜ ଆଡୁ ପଦକ୍ଷେପ ନେବା ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଗଲାଣି। ନିୟମିତ ବ୍ୟବଧାନରେ ସରକାରୀ ବ୍ୟାଙ୍କଗୁଡ଼ିକୁ ଉଦ୍ଧାର କରିବାକୁ ପଡୁଛି। ପ୍ରତି ୮-୧୨ରେ ଥରେ ଲେଖାଏଁ ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିବାକୁ ପଡୁଛି। ୧୯୮୫, ୧୯୯୨, ୨୦୦୦, ୨୦୦୪ ଏବଂ ୨୦୧୭ରେ ସରକାରୀ ବ୍ୟାଙ୍କଗୁଡ଼ିକୁ ସହାୟତା, ପାଣ୍ଠି ଦିଆଯାଇଥିଲା ଏବଂ ପୁନରୁଦ୍ଧାର ମଧ୍ୟ କରାଯାଇଥିଲା। ବଡ଼ କର୍ପୋରେଟ୍‌ ସଂସ୍ଥା ଏବଂ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଟିକସଦାତାଙ୍କ ଅର୍ଥକୁ ବ୍ୟବହାର କରିବାର ଯେଉଁ ପ୍ରଥା ଚାଲିଛି ତାହା ବାରମ୍ବାର ବିଫଳ ହେଉଛି। କିନ୍ତୁ ଏହାକୁ ସୁଧାରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବ୍ୟାଙ୍କଗୁଡ଼ିକରେ ହେଉଥିବା ହେରଫେର, ଠକେଇ ଏବଂ ବେଆଇନ କାର୍ଯ୍ୟର ତଦନ୍ତ ସିବିଆଇ ଏବଂ ସିଭିସି ପକ୍ଷରୁ କରାଯାଉଥିଲେ ମଧ୍ୟ ତାହା ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରୁନାହିଁ। ସରକାରୀ ବ୍ୟାଙ୍କଗୁଡ଼ିକୁ ବାରମ୍ବାର ଉଦ୍ଧାର କରିବା ପରିବର୍ତେ ସେଗୁଡ଼ିକର ଘରୋଇକରଣ କରିବା ପାଇଁ ବିଭିନ୍ନ ସଂସ୍ଥା ଏବଂ ଉଦ୍ୟୋଗୀ ଦାବି କରୁଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଭଳି ବଡ଼ ସରକାରୀ ବ୍ୟାଙ୍କକୁ ବାଦ ଦେଇ ଅନ୍ୟ ବ୍ୟାଙ୍କଗୁଡ଼ିକରୁ ସରକାରୀ ଅଂଶଧନ ପରିମାଣ କମାଇ ଦେବାକୁ ଦାବି ଦେଉଛି। ଆକ୍ସିସ୍‌ ବ୍ୟାଙ୍କକୁ ଯେଉଁଭଳି ଘରୋଇକରଣ କରାଯାଇଥିଲା, ସେଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କୁ ଶିଳ୍ପ ସଂଘଗୁଡ଼ିକ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର