ବ୍ୟାଙ୍କ ଠକେଇ: ଚିନିକଳ ମାଲିକ ଠକିଛନ୍ତି ୧୦୯ କୋଟି

ସିବିଆଇରେ ମାମଲା ରୁଜୁ, ବିଭିନ୍ନ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ସାମ୍ନାକୁ ଆସିବା ପରେ ଚଳିତ ମାସରେ ଗୋଟିଏ ପରେ ଗୋଟିଏ ଋଣ ଠକେଇ ମାମଲା ପଦାକୁ ଆସୁଛି। ଆଜି ୧୦୯ କୋଟି ଟଙ୍କାର ଏକ ଋଣ ଠକେଇ ମାମଲା ସାମ୍ନାକୁ ଆସିଛି। ଏନେଇ ସିବିଆଇ ପକ୍ଷରୁ ଏକ ଚିନି କଳ ମାଲିକଙ୍କ ନାମରେ ମାମଲା ଦାୟର କରାଯାଇଛି। ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ (ଓବିସି)ଠାରୁ ୧୦୯ କୋଟି ଟଙ୍କା ଋଣ ନେଇ ପରିଶୋଧ କରୁନଥିବା ସିମ୍ଭାଓଲି ସୁଗାରସ୍‌ ଲିମିଟେଡ୍‌ ଏବଂ ଏହାର ନିର୍ଦେଶକଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଛି। ଏତଲାରେ କଂପାନିର ସିଏମ୍‌ଡି ଗୁରମିତ ସିଂହ ମାନ୍‌, ଡେପୁଟି ଏମ୍‌ଡି ଗୁର୍‌ପାଲ୍‌ ସିଂହ ଏବଂ ଅନ୍ୟ ଆଠ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ରହିଛି। ଏହି ଅଧିକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଜ୍ୱାଇଁ। ସିମ୍ଭାଓଲି ସୁଗାରସ୍‌ ମାମଲାରେ ସିବିଆଇ ପକ୍ଷରୁ ଆଜି ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ୨୦୧୧ ମସିହାରେ ଏହି କଂପାନି ପକ୍ଷରୁ ୫୨୦୦ ଆଖୁ ଚାଷୀଙ୍କ ନାମରେ ଖାତା ଖୋଲିବା ପାଇଁ ଓବିସିକୁ କୁହାଯାଇଥିଲା। ପ୍ରତି ଚାଷୀଙ୍କ ନାମରେ ୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଥିଲା। ଏହି ସବୁ ଚାଷୀମାନଙ୍କ ନାମରେ କଂପାନି ୧୪୮.୫୯ କୋଟି ଟଙ୍କାର ଋଣ ନେଇଥିଲା। ମାତ୍ର ପରେ ବ୍ୟାଙ୍କ ଜାଣିବାକୁ ପାଇଲା ଯେ ଚାଷୀଙ୍କୁ ଦିଆଯାଇଥିବା ଋଣ ଅର୍ଥକୁ କଂପାନି ଅନ୍ୟତ୍ର ନେଇ ବ୍ୟବହାର କରିଛି। ଯେତେବେଳେ ବ୍ୟାଙ୍କ ପକ୍ଷରୁ ଏ ବିଷୟରେ ଡେବଟ୍‌ ରିକଭରି ଟ୍ରିବ୍ୟୁନାଲ୍‌ଙ୍କ ନିକଟରେ ମାମଲା ଦାୟର କରାଗଲା, ବକେୟା ପରିଶୋଧ କରିବା ପାଇଁ କଂପାନି ପୁଣି ଥରେ ୧୧୦ କୋଟି ଟଙ୍କାର ଋଣ ନେଇଥିଲା। ସିମ୍ଭାଓଲି ସୁଗାରସ୍‌ ଯୋଗୁଁ ଓବିସିକୁ ୧୪୮ କୋଟି ଟଙ୍କାର କ୍ଷତି ପହଞ୍ଚିଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ୨୦୧୫ରେ କଂପାନିର ଋଣକୁ ଏନ୍‌ପିଏ ଏବଂ ସେହିବର୍ଷ ମେ’ରେ ତାହାକୁ ଖିଲାପ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର