ବ୍ୟାଙ୍କ କର୍ମଚାରୀଙ୍କ ଟିକାକରଣ ଦାବି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା କର୍ମଚାରୀ ସଂଘ

ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଏସ୍‌ଏଲ୍‌ବିସି

ଭୁବନେଶ୍ବର: ମହାମାରୀ ଆରମ୍ଭ ହେବା ଦିନ ଠାରୁ ସମ୍ମୁଖରେ ରହି ବ୍ୟାଙ୍କର କର୍ମଚାରୀମାନେ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି। ସେଥିପାଇଁ ଦେଶର ଅର୍ଥନୀତିର କଳ ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବା ବେଳେ ଅନେକ ବ୍ୟାଙ୍କ କର୍ମଚାରୀ କ‌ରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେଉଥିବା ବେଳେ କିଛି କର୍ମଚାରୀଙ୍କ ଦେହାନ୍ତ ମଧ୍ୟ ହୋଇଛି। ବ୍ୟାଙ୍କ ସେବା ଏକ ଗୁରୁତ୍ବପୂର୍ଣ୍ଣ ସେବା ହୋଇଥିବାରୁ ଏହା ପ୍ରଦାନ କରୁଥିବା କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ୟୁନାଇଟେଡ୍‌ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିୟନ୍ (ୟୁଏଫ୍‌ବିୟୁ) ପକ୍ଷରୁ ଦାବି କରାଯାଇଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ୟୁଏଫ୍‌ବିୟୁ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀର ଦ୍ବିତୀୟ ଲହରରେ ରାଜ୍ୟରେ ଅନେକ ବ୍ୟାଙ୍କ କର୍ମଚାରୀ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ୍ ସେମାନେ ସଂକ୍ରମିତ ହୋଇ ନିଜ ଜୀବନ ଦେଇଛନ୍ତି। ବ୍ୟାଙ୍କ କର୍ମଚାରୀ ପ୍ରତିଦିନ ସଂକ୍ରମିତ ହେବା, ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ଖବର ଆସୁଛି। ଏକାଧିକ ସଂକ୍ରମଣ ମାମଲା ଯୋଗୁଁ କିଛି ଶାଖାକୁ କର୍ତ୍ତୃପକ୍ଷ ନିଜ ଆଡ଼ୁ ସିଲ୍‌ କରିଛନ୍ତି। ଏସବୁ ବିଷୟକୁ ଦୃଷ୍ଟିରେ ରଖି ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିଚାର କରି ସେମାନଙ୍କ ଟିକାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସେହିପରି, ବ୍ୟାଙ୍କ କର୍ମଚାରୀମାନଙ୍କ ଟିକାକରଣ ଲାଗି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର ସଂ‌ଯୋଜକ ଅରୁପାନନ୍ଦ ଜେନା ମଧ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏକ ଚିଠି ଲେଖିଛନ୍ତି। ଅଗ୍ରାଧିକାର ଭିତ୍ତିରେ ବ୍ୟାଙ୍କ କର୍ମଚାରୀମାନଙ୍କ ଲାଗି ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦେବା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅନେକ ଥର ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭାଗ ତରଫରୁ ଏହାର ଉତ୍ତର ଦିଆଯାଇନାହିଁ। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ପ୍ରତିଦିନ ବ୍ୟାଙ୍କ କର୍ମଚାରୀଙ୍କ ସଂକ୍ରମଣ ଓ ମୃତ୍ୟୁ ଖବର ଅନ୍ୟ କର୍ମଚାରୀମାନଙ୍କ ମନୋବଳକୁ ଦୁର୍ବଳ କରୁଛି। ଏହାକୁ ବିଚାରକୁ ନେଇ ତୁରନ୍ତ ବ୍ୟାଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ବ୍ୟବସ୍ଥା କରିବାକୁ ସେ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର