ବ୍ୟାଙ୍କ କର୍ମଚାରୀ ପାଇବେ ଅଧିକ ପେନ୍‌ସନ୍‌: ଶେଷ ବେତନର ୩୦% ରାଶି ମିଳିବ

ନୂଆଦିଲ୍ଲୀ: ଅବସର ଗ୍ରହଣ କରିଥିବା ଲକ୍ଷାଧିକ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫାମିଲି ପେନ୍‌ସନ୍‌ରେ ବୃଦ୍ଧି କରିଛନ୍ତି। ପେନ୍‌ସନ୍‌ଭୋଗୀମାନେ ଶେଷ ବେତନର ୩୦% ରାଶିକୁ ‌ପେନ୍‌ସନ୍ ଆକାରରେ ପାଇବେ। ପୂର୍ବରୁ କର୍ମଚାରୀଙ୍କ ପେନ୍‌ସନ୍ ୯୨୮୪ ଟଙ୍କାରେ ସୀମିତ ଥିଲା। ଆଗାମୀ ଦିନରେ ସେଥିରେ ୩୦-୩୫ ହଜାର ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ବିଭିନ୍ନ ବର୍ଗର ବ୍ୟାଙ୍କ କର୍ମଚାରୀଙ୍କ ଫାମିଲି ପେନ୍‌ସନ୍‌କୁ ଯଥାକ୍ରମେ ୧୫%, ୨୦% ଓ ୩୦% ହାରରେ ବୃଦ୍ଧି କରିବା ଲାଗି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ସୁପାରିସ କରାଯାଇଥିଲା। ଅର୍ଥ ମନ୍ତ୍ରଣାଳୟ ସେହି ସୁପାରିସକୁ ଗ୍ରହଣ କରିଛି। ଏଥି ସହିତ ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କ ଏନ୍‌ପିଏସ୍‌ ପାଇଁ ଯେଉଁ ଅବଦାନ ଦିଆଯାଉଛି ତାହାର ହାର ବେତନର ୧୦%ରୁ ବଢ଼ାଇ ୧୪% କରିବାକୁ ବ୍ୟା‌ଙ୍କଗୁଡ଼ିକୁ କୁହାଯାଇଛି।

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ମହାମାରୀ ସତ୍ତ୍ବେ ସାମଗ୍ରିକ ଭାବେ ଉନ୍ନତ ପ୍ରଦର୍ଶନ କରି ବ୍ୟାଙ୍କଗୁଡ଼ିକ କଠୋର ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ (ପିସିଏ)ରୁ ମୁକୁଳି ପାରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅଧିକ ଲୋକଙ୍କ ପାଖରେ ଋଣ ପହଞ୍ଚାଇବା ଲାଗି ଦେଶର ପ୍ରତି ଜିଲ୍ଲାରେ ଋଣ ପ୍ରଦର୍ଶନୀ ଆୟୋଜନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟାଙ୍କ ବାହାରୁ ମଧ୍ୟ ଲୋକମାନେ ଋଣ ନେଉଛନ୍ତି। ଋଣ ଲକ୍ଷ୍ୟ ଧାର୍ଯ୍ୟ କରିବା ବେଳେ ତାହା ବିଚାରକୁ ନେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଚଳିତ ମାସରେ ବ୍ୟାଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାରେ ବୃଦ୍ଧି କରାଯାଇଥିଲା। ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍ ବୃଦ୍ଧି କରାଯାଇଥିବାରୁ ସର୍ବଭାରତୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ (ଏଆ‌ଇବିଆର୍‌ଏଫ୍‌) ପକ୍ଷରୁ ସରକାର, ଆଇବିଏ ସିଇଓ ଓ ଅନ୍ୟ ଅଧିକାରୀ ଓ ୟୁବିଏଫ୍‌ୟୁ ସଂଯୋଜକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର