ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଲକର୍ ଗାଇଡ୍ଲାଇନ୍ରେ ସଂଶୋଧନ କରିଛନ୍ତି। ଚୋରି, ଅଗ୍ନିକାଣ୍ଡ, କୋଠା ଭୁଶୁଡ଼ିବା କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ହେରଫେର ଭଳି ମାମଲାରେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା କ୍ଷତିପୂରଣ ରାଶିକୁ ବାର୍ଷିକ ଲକର୍ ଭଡ଼ାର ୧୦୦ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସଂଶୋଧିତ ଗାଇଡ୍ଲାଇନ୍ ୨୦୨୨ ଜାନୁଆରି ୧ରୁ ଲାଗୁ ହେବ। ଲକର୍ ଚୁକ୍ତିରେ ନୂଆ ଧାରା ସାମିଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଲକର୍କୁ ଭଡ଼ାରେ ନେଉଥିବା ବ୍ୟକ୍ତି ସେଥିରେ ବେଆଇନ କିମ୍ବା ହାନିକାରକ ଜିନିଷ ରଖିବେ ନାହିଁ ବୋଲି ଘୋଷଣା କରିବେ।
ଲକରରେ ଥିବା ଜିନିଷର କୌଣସି କ୍ଷତି ହେଲେ ବ୍ୟାଙ୍କ କେଉଁ ପରିସ୍ଥିତିରେ କେତେ କ୍ଷତିପୂରଣ ଦେବ ତାହା ମଧ୍ୟ ନୂଆ ଗାଇଡ୍ଲାଇନ୍ରେ ସ୍ପଷ୍ଟ କରାଯାଇଛି। ଭୂମିକମ୍ପ, ବନ୍ୟା ଓ ବଜ୍ରପାତ ଭଳି ବିପର୍ଯ୍ୟୟ ଯାହାକୁ ଆକ୍ଟ ଅଫ୍ ଗଡ୍ କୁହାଯାଉଛି; ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହଙ୍କ ଅସାବଧାନତା ଯୋଗୁଁ କୌଣସି କ୍ଷତି ହେଲେ ସେଥିପାଇଁ ବ୍ୟାଙ୍କକୁ ଦାୟୀ କରାଯାଇପାରିବ ନାହିଁ। ତେବେ ଏଭଳି ଘଟଣାରୁ ଲକର୍କୁ ସୁରକ୍ଷା ଦେବା ଲାଗି ବ୍ୟାଙ୍କଗୁଡ଼ିକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଯେଉଁ କୋଠାରେ ଲକର୍ ରହିଛି ତାହାର ସୁରକ୍ଷା ଓ ନିରାପତ୍ତା ଦାୟିତ୍ବ ବ୍ୟାଙ୍କ ନିଜ ହାତକୁ ନେବ। କିନ୍ତୁ ଚୋରି, ଡକାୟତି ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ବାରା ହେଉଥିବା ହେରଫେର ଯୋଗୁଁ ଯଦି ଲକର୍ରେ ଥିବା ଜିନିଷର କ୍ଷତି ହୁଏ ସେଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବ। କ୍ଷତିପୂରଣ ରାଶି ବାର୍ଷିକ ଲକର୍ ଭଡ଼ାର ୧୦୦ ଗୁଣା ସହ ସମାନ ରହିବ। ଲକର୍ ଭଡ଼ା ସଂଗ୍ରହ କରିବା ଲାଗି ଲକର୍ ଆବଣ୍ଟନ ବେଳେ ଗ୍ରାହକଙ୍କ ଠାରୁ ଏକ ଟର୍ମ ଡିପୋଜିଟ୍ (ଜମା) ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଅତିକମ୍ରେ ତିନି ବର୍ଷର ଲକର୍ ଭଡ଼ା ବାବଦ ଟଙ୍କା ରହିଥିବା ଦରକାର। ଯେଉଁ ଗ୍ରାହକମାନେ ପୂର୍ବରୁ ଲକର୍ ରଖିଛନ୍ତି ଓ ଠିକ୍ ସମୟରେ ଭଡ଼ା ଦେଉଛନ୍ତି ସେମାନଙ୍କୁ ଟର୍ମ ଡିପୋଜିଟ୍ ଖୋଲିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଯଦି ଲଗାତାର ତିନି ବର୍ଷ ପର୍ଯ୍ୟନ୍ତ ଗ୍ରାହକ ଭଡ଼ା ଦେବେ ନାହିଁ ତେବେ ଆବଶ୍ୟକ ପଦ୍ଧତି ଗ୍ରହଣ କରି ବ୍ୟାଙ୍କ ଲକର୍ ଖୋଲିପାରିବ ବୋଲି ରିଜର୍ଭ ବ୍ୟାଙ୍କ ନୂଆ ଗାଇଡ୍ଲାଇନ୍ରେ ଜଣାଇଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କିଙ୍ଗ୍ ସେବା ଓ ପ୍ରଯୁକ୍ତିରେ ହୋଇଥିବା ଉନ୍ନତି, ଗ୍ରାହକମାନଙ୍କ ଆପତ୍ତି ଅଭିଯୋଗ, ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ସଂଘର ମତାମତ ଆଦି ବିଚାରକୁ ନେଇ ଡିପୋଜିଟ୍ ଲକର୍ ଗାଇଡ୍ଲାଇନ୍ର ସମୀକ୍ଷା କରିବା ପରେ ଏହି ପରିବର୍ତ୍ତନ କରାଯାଇଛି। ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବନାମ ଅମିତାଭ ଦାସଗୁପ୍ତା ମାମଲାରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ମଧ୍ୟ ଏଥିପାଇଁ ବିଚାରକୁ ନିଆଯାଇଛି। ଏହି ନୂଆ ଗାଇଡ୍ଲାଇନ୍ ସବୁ ପ୍ରକାର ସେଫ୍ ଡିପୋଜିଟ୍ ଲକର୍ ପାଇଁ ଲାଗୁ ହେବ। ଲକର୍ ଆବଣ୍ଟନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ (ସିବିଏସ୍)ରେ କିମ୍ବା ଅନ୍ୟ ଯେକୌଣସି ପ୍ରକାର କମ୍ପ୍ୟୁଟରୀକରଣ ବ୍ୟବସ୍ଥାରେ ଖାଲି ଥିବା ଲକର ଏବଂ ୱେଟିଂ ଲିଷ୍ଟ୍ରେ ଥିବା ଗ୍ରାହକଙ୍କ ତଥ୍ୟ ଦେବାକୁ ପଡ଼ିବ। ଶାଖା ଭିତ୍ତିରେ ଏହି ତଥ୍ୟ ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଲକର୍ ପାଇଁ ଗ୍ରାହକମାନେ ଯେଉଁ ଆବେଦନ କରୁଛନ୍ତି ତାହାକୁ ବ୍ୟାଙ୍କ ଗ୍ରହଣ କରିବେ ଓ ଯଦି ଲକର୍ ଅଭାବ ଥିବ ତେବେ ଗ୍ରାହକଙ୍କୁ ୱେଟିଂ ଲିଷ୍ଟ୍ ନମ୍ବର ଜାରି କରିବେ। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପ୍ରସ୍ତୁତ କରିବାକୁ ଥିବା ମଡେଲ୍ ଲକର୍ ଚୁକ୍ତିକୁ ବ୍ୟାଙ୍କଗଚୁଡ଼ିକ ଗ୍ରହଣ କରିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।