ଫସଲ ବୀମା ପ୍ରଦାନରେ ବ୍ୟାଙ୍କ ବିଫଳ

ତଥ୍ୟ ଦେଉନାହାନ୍ତି ବୀମା କମ୍ପାନି, ଏସ୍‌ଏଲ୍‌ବିସି ବୈଠକରେ ଅସନ୍ତୋଷ

ଭୁବନେଶ୍ୱର: ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି। ଚାଷୀମାନେ ଯେଭଳି କ୍ଷତି ନସହିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହୋଇପାରୁ ନାହିଁ। ରାଜ୍ୟରେ ଚାଷୀମାନେ ସେମାନଙ୍କ ଫସଲ ବୀମା ବାବଦ କ୍ଷତିପୂରଣ ରାଶି ପାଇପାରୁ ନାହାନ୍ତି। ରାଜ୍ୟରେ ଚାଷୀମାନଙ୍କୁ ପ୍ରାୟ ୧୭୦୦ କୋଟି ଟଙ୍କାର ଫସଲ ବୀମା କ୍ଷତିପୂରଣ ଦେବାକୁ ଥିବା ବେଳେ ବ୍ୟାଙ୍କ ଗୁଡ଼ିକ ପ୍ରାୟ ୩୦୦ କୋଟି ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରିଛନ୍ତି। ବୀମା କମ୍ପାନି ଗୁଡ଼ିକ ଟଙ୍କା ପ୍ରେରଣ କରୁଥିଲେ ମଧ୍ୟ ହିତାଧିକାରୀଙ୍କ ତାଲିକା ବ୍ୟାଙ୍କକୁ ପଠାଉ ନଥିବାରୁ ଅର୍ଥ ପ୍ରଦାନରେ ଅସୁବିଧା ହେଉଛି ବୋଲି ହୋଟେଲ ମେ ଫେୟାରରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କ ଅଧିକାରୀମାନେ ମତ ଦେଇଛନ୍ତି। ତେବେ ବୀମା ଅଧିକାରୀଙ୍କ ମତାମତ ଜାଣିବାକୁ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ ଚାହିଲା ବେଳେ କୌଣସି ଜଣେ ହେଲେ ବୀମା ଅଧିକାରୀ ଉପସ୍ଥିତ ନଥିଲେ। ଫଳରେ ଶ୍ରୀ ପାଣ୍ଡେ ଏ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇଥିଲେ। ବୈଠକ ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଥିଲେ, ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବିଶେଷକରି ବ୍ୟାଙ୍କ ଶାଖା ଖୋଲିବା ଏବଂ ବ୍ୟାଙ୍କ ଋଣ ପ୍ରଦାନକୁ ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜ୍ୟରେ ବ୍ୟାଙ୍କ ଶାଖା ନଥିବା ୪୦୦୦ରୁ ଊର୍ଧ୍ୱ ପଞ୍ଚାୟତରେ ବ୍ୟାଙ୍କିଂ ଆଉଟଲେଟ୍‌ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଥିଲା। ୨୦୧୯ ମାର୍ଚ୍ଚ ସୁଦ୍ଧା ୧୪୭୪ଟି ବ୍ୟାଙ୍କିଂ ଆଉଟଲେଟ୍‌ ଖୋଲିବାକୁ କୁହାଯାଇଥିବା ବେଳେ ବ୍ୟାଙ୍କ ଗୁଡ଼ିକ ୧୦୫୮ଟି ଆଉଟଲେଟ୍‌ ଖୋଲିଛନ୍ତି। ସେମାନଙ୍କୁ ୨୦୧୯ ମାର୍ଚ୍ଚ ସୁଦ୍ଧା ଆହୁରି ୪୧୬ଟି ଆଉଟଲେଟ ଖୋଲିବାକୁ ହେବ ବୋଲି ମନ୍ତ୍ରୀ କହିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ‘ତରୁଣ’ ସ୍କିମ୍‌ରେ ବ୍ୟାଙ୍କ ଗୁଡ଼ିକର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା, କୃଷି ଉତ୍ପାଦନ କମିସନର ଗଗନ ଗଗନ କୁମାର ଧଳଙ୍କ ସମେତ ୟୁକୋ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର