ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ୪୨୫୩ କୋଟି ଟଙ୍କାର ନିଟ୍ ଲାଭ କରିଛି ଯାହା ପୂର୍ବବର୍ଷର ଏହି ସମୟ ତୁଳନାରେ ୨୮.୪ ପ୍ରତିଶତ ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ବ୍ୟାଙ୍କର ନିଟ୍ ଲାଭ ୫୧.୮ ପ୍ରତିଶତ ବୃଦ୍ଧି ପାଇ ୮,୩୨୩ କୋଟି ଟଙ୍କା ହୋଇଛି। ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କର ମୋଟ କାରବାର ୧୫.୮ ପ୍ରତିଶତ ବୃଦ୍ଧି ପାଇ ୨୨,୭୪,୧୪୮ କୋଟି ଟଙ୍କା ହୋଇଛି। ଅଗ୍ରୀମ କ୍ଷେତ୍ରରେ ୧୭.୩ ପ୍ରତିଶତ ବୃଦ୍ଧି ଘଟିଛି। ଗାଡ଼ି ଋଣରେ ୨୧.୧ ପ୍ରତିଶତ ଗୃହ ଋଣରେ ୧୬.୧ ପ୍ରତିଶତ, ବ୍ୟକ୍ତିଗତ ଋଣରେ ୬୭.୨ ପ୍ରତିଶତ, ବନ୍ଧକ ଋଣରେ ୧୩.୩ ପ୍ରତିଶତ ଓ ଶିକ୍ଷା ଋଣରେ ୧୮.୩ ପ୍ରତିଶତ ବୃଦ୍ଧି ଘଟିଛି। କୃଷି ଋଣ ୧୩.୭ ପ୍ରତିଶତ ବୃଦ୍ଧି ପାଇ ୧,୩୦,୬୯୪ କୋଟି ଟଙ୍କା ହୋଇଛି। ଏମ୍ଏସ୍‌ଏମ୍ଇ ଋଣ ୧୨.୧ ପ୍ରତିଶତ ବୃଦ୍ଧି ପାଇ ୧,୧୩,୫୧୨ କୋଟି ଟଙ୍କା ହୋଇଛି। ଆଲୋଚ୍ୟ ସମୟରେ ବ୍ୟାଙ୍କର ମୋଟ ଏନ୍‌ପିଏ ୩୩,୯୬୮ କୋଟି ଟଙ୍କାକୁ ହ୍ରାସ ପାଇଥିବା ବେଳେ ନିଟ୍‌ ଏନ୍‌ପିଏ ଅନୁପାତ ୦.୭୬ ପ୍ରତିଶତ ରହିଛି।

Advertisment

ଇସ୍ରୋ ଟିମ୍‌କୁ ସମ୍ବର୍ଦ୍ଧନା
ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ଏମ୍‌ଡି ତଥା ସିଇଓ ଦେବଦତ୍ତ ଚାନ୍ଦ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ଏହାର ଅଧ୍ୟକ୍ଷ ଏସ୍‌ ସୋମନାଥ ଓ ତାଙ୍କ ଟିମ୍‌କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ସିଜିଏମ୍‌ ଦେବବ୍ରତ ଦାସ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦେଶ ପାଇଁ ଗୌରବ ଆଣିଥିବା ବୈଜ୍ଞାନିକମାନଙ୍କୁ ଶ୍ରୀ ଚାନ୍ଦ ପ୍ରଶଂସା କରିବା ସହିତ ମେମେଣ୍ଟୋ ପ୍ରଦାନ କରିଥିଲେ ଓ ଭବିଷ୍ୟତର ଅଭିଯାନଗୁଡ଼ିକର ସଫଳତା କାମନା କରିଥିଲେ। କିଛି ଦିନ ତଳେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇ ଭାରତ ଇତିହାସ ରହିଥିଲା। ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ବର ଚତୁର୍ଥ ‌ଏବଂ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ଥିଲା।