ମୁମ୍ବାଇ, ୧୮/୮: ଦେଶରେ ବ୍ୟାଙ୍କ ଘରୋଇକରଣକୁ ନେଇ ରିଜର୍ଭ ବ୍ୟାଙ୍କର ଅଗଷ୍ଟ ବୁଲେଟିନ୍ରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ଏକ ପ୍ରବନ୍ଧରେ କୁହାଯାଇଛି ଯେ ସରକାରୀ ବ୍ୟାଙ୍କର ଘରୋଇକରଣ ହେଲେ ବ୍ୟାଙ୍କ ଅଧିକ ଲାଭ କରିପାରନ୍ତି, କିନ୍ତୁ ଅର୍ଥନୀତି ପାଇଁ ତାହା ଖରାପ। ସରକାରୀ ବ୍ୟାଙ୍କଗୁଡ଼ିକ ସଂପ୍ରତି ଆସ୍ଥା ହାସଲ କରିବାରେ ଲାଗିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହନ ଦେବାରେ ହେଉ କିମ୍ବା ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରୁଥିବା ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିବାରେ ସରକାରୀ ବ୍ୟାଙ୍କଗୁଡ଼ିକ ବେଶ୍ ସହାୟକ ହେଉଛନ୍ତି। ଏକମାତ୍ର ଉଦ୍ଦେଶ୍ୟ ଯଦି ସର୍ବାଧିକ ପରିମାଣର ଲାଭ ସଂଗ୍ରହ ହୋଇ ନଥାଏ ତାହେଲେ ଘରୋଇ ବ୍ୟାଙ୍କଗୁଡ଼ିକ ତୁଳନାରେ ସରକାରୀ ବ୍ୟାଙ୍କଗୁଡ଼ିକ ଭଲ କାର୍ଯ୍ୟ କରୁଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକ କେବଳ ପୂର୍ଣ୍ଣ ମାତ୍ରାରେ ଲାଭ ସଂଗ୍ରହ ଲକ୍ଷ୍ୟ ଦିଗରେ ପରିଚାଳିତ ହେଉନାହାନ୍ତି ସେମାନେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ମଧ୍ୟ ନେଉଛନ୍ତି ବୋଲି ରିଜର୍ଭ ବ୍ୟାଙ୍କର ବୁଲେଟିନ୍ରେ କୁହାଯାଇଛି।
ସରକାରୀ ବ୍ୟାଙ୍କଗୁଡ଼ିକର ଆୟବ୍ୟୟ ହିସାବଫର୍ଦ୍ଦ (ବାଲାନ୍ସ ସିଟ୍) ଦୁର୍ବଳ ବୋଲି ସମାଲୋଚନା କରାଯାଉଥିଲେ ମଧ୍ୟ ସେମାନେ କୋଭିଡ-୧୯ ମହାମାରୀଜନିତ ଅସୁବିଧାକୁ ଭଲଭାବେ ମୁକାବିଲା କରିପାରିଛନ୍ତି। ନିକଟରେ ବ୍ୟାଙ୍କଗୁଡ଼ିକର ହୋଇଥିବା ମିଶ୍ରଣ ଯୋଗୁ ଦୃଢ଼ ଏବଂ ପ୍ରତିଯୋଗିତାକ୍ଷମ ବ୍ୟାଙ୍କ ସୃଷ୍ଟି ହୋଇପାରିଛି। କେନ୍ଦ୍ର ସରକାର ଆଗାମୀ ଦିନରେ ସଂସଦରେ ସରକାରୀ ବ୍ୟାଙ୍କ ଘରୋଇକରଣକୁ ସୁଗମ କରିବା ଲାଗି ଏକ ବିଲ୍ ଆଣିବା ଯୋଜନା ରଖିଥିବା କୁହାଯାଉଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ବୁଲେଟିନ୍ରେ ଏପ୍ରକାର ବିକଳ୍ପ ମତ ସାମ୍ନାକୁ ଆସିଛି। ରିଜର୍ଭ ବ୍ୟାଙ୍କ ସହିତ ବ୍ୟାଙ୍କ ଗୁଡ଼ିକର ମାଲିକାନା ଏବଂ ସେଗୁଡ଼ିକର ନିୟନ୍ତ୍ରଣ ନେଇ ଅର୍ଥ ମନ୍ତ୍ରାଳୟ ଆଲୋଚନା ଚଳାଇଛି। ବର୍ତ୍ତମାନ ପ୍ରତିଷ୍ଠାତାମାନେ ଘରୋଇ ବ୍ୟାଙ୍କରେ ସର୍ବାଧିକ ୨୬ ପ୍ରତିଶତ ଅଂଶଧନ ରଖିପାରିବା ବ୍ୟବସ୍ଥା ରହିଛି। ୨୦୨୧ ଫେବ୍ରୁଆରି ୧ରେ ଉପସ୍ଥାପିତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବେ। ଏଥିସହିତ ଆଇଡିବିଆଇ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନିର ଘରୋଇକରଣ ହେବ।
୨୦୨୧ ଏପ୍ରିଲରେ ପୁଞ୍ଜି ପ୍ରତ୍ୟାହାର ବିଭାଗକୁ ନିତି ଆୟୋଗ ଏହାର ସୁପାରିସ ପ୍ରଦାନ କରିଥିଲା। ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସାମିଲ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ସାଧାରଣରେ ପ୍ରକାଶ ପାଇନାହିଁ। ତେବେ ତାହା ପରଠାରୁ ଏ ନେଇ କିଛି ଅଗ୍ରଗତି ମଧ୍ୟ ହୋଇନାହିଁ।