ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୫ ପ୍ରତିଶତ ହ୍ରାସ କରିବା ପରେ ଦେଶର ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଋଣ ସୁଧ କମ୍ କରିବା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗରେ ରହିଛନ୍ତି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, କରୁର୍ ବୈଶ୍ୟ ବ୍ୟାଙ୍କ ପକ୍ଷରୁ ବାହ୍ୟ ବେଞ୍ଚମାର୍କ ସହ ଲିଙ୍କ୍ ହୋଇଥିବା ଋଣର ସୁଧ କମ୍ କରାଯାଇଛି। ଆଗାମୀ ଦିନରେ ଗ୍ରାହକମାନେ ବ୍ୟାଙ୍କରୁ କମ୍ ସୁଧରେ ଘର ଓ ଗାଡ଼ି ଆଦି କିଣିବା ଲାଗି ଋଣ ନେଇପାରିବେ। ସେମାନଙ୍କୁ ପୂର୍ବାପେକ୍ଷା ମାସିକ କିସ୍ତି ଆକାରରେ କମ୍ ଟଙ୍କା ଗଣିବାକୁ ପଡ଼ିବ। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏହାର ରେପୋ ସହ ଲିଙ୍କ୍ ହୋଇଥିବା ଋଣ ସୁଧ ହାରକୁ ୮.୮୫ ପ୍ରତିଶତରୁ ହ୍ରାସ କରି ୮.୩୫ ପ୍ରତିଶତ କରିଛି। କିନ୍ତୁ ଏହାର ଏମ୍ସିଏଲ୍ଆର୍ ଭିତ୍ତିକ ସୁଧହାର ଅପରିବର୍ତ୍ତିତ ରହିଛି। ବ୍ୟାଙ୍କ ଅଫ୍ ବରୋଦା ଏହାର ଋଣ ସୁଧକୁ ୮.୧୫ ପ୍ରତିଶତକୁ ହ୍ରାସ କରିଛି। ଏଫ୍ଡିଏଫ୍ସି ବ୍ୟାଙ୍କ ଏହାର ଓଭର୍ନାଇଟ୍ ଓ ମାସିକିଆ ହାରକୁ ୮.୯୦ ପ୍ରତିଶତକୁ ହ୍ରାସ କରିଛି। ୟୁକୋ ବ୍ୟାଙ୍କ ଏହାର ଋଣ ସୁଧ ହାର ୦.୫୦ ପ୍ରତିଶତ କମ୍ କରିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆର ରେପୋ ସହ ଲିଙ୍କ୍ ହୋଇଥିବା ସୁଧ ହାର ୮.୭୫ ପ୍ରତିଶତକୁ ହ୍ରାସ ପାଇଛି।
ଇଣ୍ଡିଆନ୍ ବ୍ୟାଙ୍କ ଏହାର ରେପୋ ସହ ଲିଙ୍କ୍ ହୋଇଥିବା ସୁଧ ହାରକୁ ୮.୨୦ ପ୍ରତିଶତକୁ ହ୍ରାସ କରିଛି। କରୁର୍ ବୈଶ୍ୟ ବ୍ୟାଙ୍କର ୬ ମାସିଆ ଏମ୍ସିଏଲ୍ଆର୍ ୯.୮୦ ପ୍ରତିଶତକୁ ହ୍ରାସ ପାଇଛି। ରେପୋ ହାର କମ୍ କରିବା ପରେ ତୁରନ୍ତ ତାହାର ଲାଭ ଗ୍ରାହକଙ୍କୁ ଦେବା ଲାଗି ରିଜର୍ଭ ବ୍ୟାଙ୍କ ଆହ୍ବାନ ଦେଇଥିଲା। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତିକୁ ଏହା ବ୍ୟାଙ୍କ ଉପରେ ଛାଡ଼ିଥିଲା। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା ପରେ ସଙ୍ଗେ ସଙ୍ଗେ କିଛି ଛୋଟ ବ୍ୟାଙ୍କ ଋଣ ସୁଧ କମ୍ କରିଥିଲେ।