ନୂଆଦିଲ୍ଲୀ: ନିଜ କଷ୍ଟ ଉପାର୍ଜିତ ଧନକୁ ଅଳ୍ପ ସୁଧ ମିଳୁଥିବା ବ୍ୟାଙ୍କ ଜମାରେ ପକାଇ ରଖିବାକୁ ଲୋକମାନେ ଆଉ ଚାହୁନାହାନ୍ତି। ଅଧିକ ରିଟର୍ଣ୍ଣ ଆଶାରେ ସେମାନେ ଷ୍ଟକ୍ ବଜାର ଓ ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍ରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି। ବିଶେଷ କରି ସହରାଞ୍ଚଳରେ ଏହି ଧାରା ଆରମ୍ଭ ହୋଇଛି।
ମୋବାଇଲ୍ ଜରିଆରେ ଷ୍ଟକ୍ ଟ୍ରେଡିଂ ସହଜ ହେବା ଏବଂ ଷ୍ଟକ୍ ବଜାର କାରବାର ବିଷୟରେ ଲୋକମାନେ ଅଧିକ ସଚେତନ ହୋଇଥିବାରୁ ସେୟାରରେ ନିବେଶ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରିବାକୁ ସଂଘର୍ଷ କରୁଛନ୍ତି। ତେଣୁ ସେମାନେ ସୁବିଧାରେ ଉପଲବ୍ଧ ହେଉଥିବା ବିକଳ୍ପକୁ ଚୟନ କରି ନିଜ ସଞ୍ଚିତ ରାଶିକୁ ନିବେଶ କରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସମସ୍ତଙ୍କ ପାଖରେ ପ୍ରଯୁକ୍ତିର ଶକ୍ତି ପହଞ୍ଚିବା ପରେ ଆର୍ଥିକ ସଞ୍ଚୟର ଧାରା ବଦଳିଯାଇଛି। ୨୦୨୨ ସୁଦ୍ଧା ଦେଶରେ ଚଳନ୍ତୀ ଓ ସଞ୍ଚୟ ଜମା (କାସା) ଅନୁପାତ ୪୫.୨ ପ୍ରତିଶତ ଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ତାହା ୪୩.୧ ପ୍ରତିଶତକୁ ହ୍ରାସ ପାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କାସା ଜମା ଅନୁପାତ ମଧ୍ୟ ହ୍ରାସ ପାଇଛି। ସରକାରୀ ବ୍ୟାଙ୍କ ତୁଳନାରେ ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ଡିଜିଟାଇଜେସନ୍ ଯୋଗୁଁ ଲୋକମାନଙ୍କ ପାଖରେ ସଞ୍ଚୟ ଲାଗି ଅଧିକ ବିକଳ୍ପ ଉପଲବ୍ଧ ହୋଇଛି। ସେଥିପାଇଁ ସେମାନେ ଆଉ କେବଳ ବ୍ୟାଙ୍କ ଜମା ଉପରେ ନିର୍ଭରଶୀଳ ନାହାନ୍ତି।
ଗୋଟିଏ ପଟେ ବ୍ୟାଙ୍କ ଜମା ହ୍ରାସ ପାଉଥିବା ବେଳେ ଅନ୍ୟ ପଟେ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ ବୃଦ୍ଧି ପାଉଛି। ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ (ଆମ୍ଫି) ତଥ୍ୟ ଅନୁସାରେ ଚଳିତ ବର୍ଷ ଜାନୁଆରିରେ ମ୍ୟୁଚୁଆଲ୍ ଫଣ୍ଡ୍ରେ ୨୧,୭୮୧ କୋଟି ଟଙ୍କା ନିବେଶ ହୋଇଛି ଯାହା ଗତ ୨୨ ମାସ ଭିତରେ ସର୍ବାଧିକ। ଏସ୍ଆଇପି ଜରିଆରେ ନିବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ୭.୯ କୋଟିରୁ ଅଧିକ ହୋଇଛି।