ନୂଆଦିଲ୍ଲୀ: ଷ୍ଟକ୍ ବଜାରରେ ଲାଗି ରହିଥିବା ଉତ୍ସାହରୁ ଫାଇଦା ଉଠାଇ କିଛି ବ୍ୟାଙ୍କର ଅଂଶଧନ ବିକ୍ରି କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯେଉଁ ବ୍ୟାଙ୍କଗୁଡ଼ିକରେ ସରକାରଙ୍କ ୮୦ ପ୍ରତିଶତରୁ ଅଧିକ ଅଂଶଧନ ରହିଛି ସେଗୁଡ଼ିକୁ ଏଥିପାଇଁ ବିଚାରକୁ ନିଆଯିବ। ବ୍ୟାଙ୍କଗୁଡ଼ିକର ୫-୧୦ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ଯୋଜନା ରହିଛି। ବିଭିନ୍ନ ପର୍ଯ୍ୟାୟରେ ମିଶ୍ରଣ ପରେ ଏବେ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି। ସେଥିରୁ ୬ଟି ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୮୦ ପ୍ରତିଶତ ଅଂଶଧନ ରହିଛି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ। ଇକ୍ବିଟି ବଜାରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ପ୍ରଦର୍ଶନ ଚମତ୍କାର ସ୍ତରରେ ରହିଛି।
ତେଣୁ ଷ୍ଟକ୍ ବଜାରରେ ପୁଞ୍ଜି ବିକ୍ରି ଲାଗି ଏହାକୁ ସରକାର ପ୍ରକୃଷ୍ଟ ସମୟ ଭାବୁଛନ୍ତି। ପୁଞ୍ଜି ପ୍ରତ୍ୟାହାର ଲାଗି ଅଫର ଫର ସେଲ୍ ରୁଟ୍ରେ ଆଗକୁ ବଢ଼ିବାକୁ ସରକାର ଯୋଜନା ରଖିଛନ୍ତି। ଏଥିରେ ସଂସ୍ଥାର ଅଂଶଧନକାରୀମାନେ ସେୟାର ବିକ୍ରି କରିଥାନ୍ତି। କେଉଁ ବ୍ୟାଙ୍କକୁ କେତେ ପାଣ୍ଠି ଦରକାର ତାହା ପ୍ରଥମେ ସରକାର ଜାଣିବାକୁ ଚାହୁଛନ୍ତି। ସେଥିପାଇଁ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ପାଣ୍ଠି ହାସଲ ଯୋଜନା ଉପସ୍ଥାପନ କରିବାକୁ କୁହାଯାଇଛି। ସେହି ଯୋଜନା ହସ୍ତଗତ ହେବା ପରେ ପ୍ରତି ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ଲାଗି ଅଲଗା ଅଲଗା ଯୋଜନା ପ୍ରସ୍ତୁତ କରାଯିବ। ଅଫର ଫର ସେଲ୍ରେ ବ୍ୟାଙ୍କଗୁଡ଼ିକର ଅଂଶଧନକୁ ଷ୍ଟକ ବଜାରରେ ବିକ୍ରି ଲାଗି ଉପଲବ୍ଧ କରାଯିବ। ସେହି ସମୟରେ ବ୍ୟାଙ୍କଗୁଡ଼ିକୁ ସମାନ ପରିମାଣର ରାଇଟ୍ସ ଇସ୍ୟୁ କରି ପାଣ୍ଠି ଯୋଗାଡ଼ କରିବାକୁ କୁହାଯିବ।
ଯଦି ସରକାର ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୦% ଅଂଶଧନ ବିକିବେ ତେବେ ୪,୪୦୦ କୋଟି ଟଙ୍କା ପାଇବେ। ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ ଲାଗି ପୂର୍ବରୁ ୨୦୨୧ ବଜେଟ୍ରେ କରାଯାଇଥିବା ଘୋଷଣା ଅନୁସାରେ କାର୍ଯ୍ୟ ସମାନ୍ତରାଳ ଭାବେ ଆଗକୁ ବଢ଼ିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଘରୋଇକରଣ କରିବାକୁ ନିତି ଆୟୋଗ ପ୍ରସ୍ତାବ ଦେଇଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ। ଅନ୍ୟ ପକ୍ଷରେ, ଆଇଡିବିଆଇ ବ୍ୟାଙ୍କରୁ ସରକାର ସମ୍ପୂର୍ଣ୍ଣ ଓହରିଯିବାକୁ ଚାହୁଛନ୍ତି। ବର୍ତ୍ତମାନ ତାହା ଘରୋଇ ବ୍ୟାଙ୍କ ବର୍ଗରେ ରହିଛି।