ଜାନୁଆରି ୩୧ରୁ ୨ ଦିନ ପାଇଁ ବ୍ୟାଙ୍କ ଧର୍ମଘଟ, କିନ୍ତୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଚଳିତ ଜାନୁଆରି ମାସ ଶେଷ ଓ ଫେବ୍ରୁଆରି ଆରମ୍ଭରେ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଜାନୁଆରି ୩୦ ତାରିଖ ଗୁରୁବାର ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ଯୋଗୁଁ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ କାରବାର ବନ୍ଦ ରହିବ । ଫେବ୍ରୁଆରୀ ୨ ତାରିଖ ରବିବାର ହୋଇଥିବା ଯୋଗୁଁ ସ୍ୱାଭାବିକଭାବେ ବ୍ୟାଙ୍କ ବନ୍ଦ ରହିବ ।

ଦରମା ବୃଦ୍ଧି ପ୍ରସଙ୍ଗରେ ଇଣ୍ଡିଆନ ବ୍ୟାଙ୍କ ସଂଘ ସହିତ ଚାଲିଥିବା କଥାବାର୍ତ୍ତା ବିଫଳ ହେବାରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଆସନ୍ତା ଜାନୁଆରି ୩୧ ଓ ଫେବ୍ରୁଆରି ୧ ତାରିଖରେ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି । ସେହିପରି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ ମଧ୍ୟ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି । ତଥାପି ସରକାର ଦାବି ନ ମାନିଲେ ଏପ୍ରିଲ ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବ୍ୟାଙ୍କ ୟୁନିଅନଗୁଡ଼ିକ ୧୫ ପ୍ରତିଶତ ଦରମା ବୃଦ୍ଧି ଦାବି କରୁଥିବାବେଳେ ଭାରତୀୟ ବ୍ୟାଙ୍କ ସଂଘ ୧୨.୨୫ ପ୍ରତିଶତ ଦରମା ବୃଦ୍ଧି ପାଇଁ ରାଜି ହୋଇଛି ।

ସମ୍ବନ୍ଧିତ ଖବର