ନୂଆଦିଲ୍ଲୀ/ଭୁବନେଶ୍ବର : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟର ଦ୍ବିତୀୟ ଦିନଟି ହେଉଛି ଫେବ୍ରୁଆରି ୧। ସେହିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି ଏହି ପ୍ରସ୍ତାବିତ ଧର୍ମଘଟ ପ୍ରତ୍ୟାହୃତ ନହେବ ତେବେ ବଜେଟ୍ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବାର ଆଶଙ୍କା ରହିଛି।
ବ୍ୟାଙ୍କ ଧର୍ମଘଟ ଯୋଗୁ କ୍ରମାଗତ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୩୦ରେ ସରସ୍ବତୀ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ୩୧ ଓ ଫେବ୍ରୁଆରି ୧ରେ ଧର୍ମଘଟ ହେବ। ଫେବ୍ରୁଆରି ୨ ହେଉଛି ରବିବାର ଯାହା ହେଉଛି ବ୍ୟାଙ୍କ ପାଇଁ ସ୍ବାଭାବିକ ଭାବେ ଏକ ଛୁଟିଦିନ।
ବ୍ୟାଙ୍କର କର୍ମଚାରୀ ଓ ଅଫିସରମାନେ ବିଭିନ୍ନ ପର୍ଯ୍ୟାୟରେ ଧର୍ମଘଟ କରିବା ଉପରେ ବିଚାର କରୁଛନ୍ତି। ପ୍ରଥମେ ଚଳିତ ମାସ ୩୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଦୁଇ ଦିନିଆ ଧର୍ମଘଟ ହେବ। ତାହା ଦ୍ବାରା ଯଦି ଦାବି ପୂରଣ ନହେବ ତେବେ ଆସନ୍ତା ମାର୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ପୁଣି ଧର୍ମଘଟ କରାଯିବ। ସେଥିରେ ଯଦି କୌଣସି ସମାଧାନ ବାଟ ନବାହାରିବ ତେବେ ଆସନ୍ତା ଏପ୍ରିଲ୍ ୧ରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରାଯିବ।
ଚଳିତ ମାସ ୧୩ରେ ଆଇବିଏ ସହିତ ୟୁବିଏଫ୍ୟୁର ବୈଠକ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିଲା। ୟୁବିଏଫ୍ୟୁ ପକ୍ଷରୁ ୧୨ ପ୍ରକାର ଦାବି ଉପସ୍ଥାପନ କରାଯାଇଛି। ତାହା ହେଉଛି ବେତନରେ ୨୦% ବୃଦ୍ଧି କରିବା, ୫ ଦିନିଆ କାର୍ଯ୍ୟ ଦିବସ, ମୌଳିକ ବେତନ ସହିତ ସ୍ବତନ୍ତ୍ର ଭତ୍ତାକୁ ମିଶାଇ ଦେବା, ନୂଆ ପେନ୍ସନ୍ ସ୍କିମ୍କୁ ପ୍ରତ୍ୟାହାର କରିବା, ପେନ୍ସନ୍ରେ ଉନ୍ନତି, ପରିବାର ପେନ୍ସନ୍ରେ ଉନ୍ନତି, ପରିଚାଳନା ଲାଭ ଅନୁସାରେ ଷ୍ଟାଫ୍ କଲ୍ୟାଣ ପାଣ୍ଠିକୁ ଆବଣ୍ଟନ ପ୍ରଦାନ କରିବା, ଅବସରକାଳୀନ ସୁବିଧାଗୁଡ଼ିକ ଉପରୁ ଆୟକର ଛାଡ଼ କରିବା, ଶାଖାରେ ବ୍ୟବସାୟ ସମୟ ଏବଂ ଖାଦ୍ୟ ଗ୍ରହଣର ନିର୍ଦିଷ୍ଟ ସମୟ ଧାର୍ଯ୍ୟ କରିବା, ଅଧିକାରୀଙ୍କ କାର୍ଯ୍ୟ ସମୟ ଧାର୍ଯ୍ୟ କରିବା ଏବଂ ସମାନ କାମ ପାଇଁ ସମାନ ଦରମାର ବ୍ୟବସ୍ଥା କରିବା।
ଉଲ୍ଲେଖଯୋଗ୍ୟ, ବେତନରେ ବଡ଼ ଧରଣର ବୃଦ୍ଧି କରିବାକୁ କର୍ମଚାରୀ ଓ ଅଫିସର ସଂଘ ଦାବି କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ସଂଘ ତା’ଠାରୁ କମ୍ ହାରରେ ବେତନ ବଢ଼ାଇବାର ପ୍ରସ୍ତାବ ଦେଇଛି। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ପ୍ରକାଶ ପାଉନାହିଁ। ଭାରତୀୟ ବ୍ୟାଙ୍କ ସଂଘ ହେଉଛି ବ୍ୟାଙ୍କଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷମାନଙ୍କ ସଂଘ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bank-1.jpg)