ଲାଗିବ ସ୍ମାର୍ଟ ଏଟିଏମ୍‌ : ଟିପ ଚିହ୍ନ ଦେଇ ଟଙ୍କା ଉଠାଇହେବ

ନୂଆଦିଲ୍ଲୀ: ଖୁବଶୀଘ୍ର ଏଟିଏମ୍‌ ଗୁଡିକର ନବକଳେବର ହେବାକୁ ଯାଉଛି । ପ୍ରାୟ ୧୦ ବର୍ଷ ଧରି ବ୍ୟାଙ୍କମାନେ ଏଟିଏମ ମେସିନଗୁଡ଼ିକରେ ବିଶେଷ କିଛି ପରିବର୍ତ୍ତନ କରିନଥିଲେ । ପୁଣି ଏବେ ସୁଦ୍ଧା ଏଟିଏମଗୁଡିକ ଓ୍ଵିଣ୍ଡୋ ଏକ୍ସପି ସଫ୍ଟଓ୍ଵାର (ଅପରେଟିଂ ସିଷ୍ଟମ) ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ ମାଇକ୍ରୋସଫ୍ଟ କେବେଠାରୁ ଓ୍ଵିଣ୍ଡୋ ଏକ୍ସପି ବନ୍ଦ କରିସାରିଲାଣି । ଏଣୁ ଏଟିଏମ୍‌ଗୁଡିକର ସୁରକ୍ଷା ପାଇଁ ଉଭୟ ସଫ୍ଟଓ୍ଵାର ଓ ହାର୍ଡଓ୍ଵାର ପରିବର୍ତ୍ତନ କରିବା ଆବଶ୍ୟକ ହୋଇପଡିଛି ।

ମିଳିଥିବା ସୂଚନା ମୁତାବକ ଏଟିଏମ୍‌ ଗୁଡ଼ିକ ଆହୁରି ସ୍ମାର୍ଟ ହେବ । ଏଥିରେ ଆଧାରକୁ ସପୋର୍ଟ କରୁଥିବା ବାୟୋମେଟ୍ରିକ ଅଥେଣ୍ଟେକେସନ ସିଷ୍ଟମ ରହିବ । ଅର୍ଥାତ୍‌ ଆପଣ ନିଜର ଟିପ ମାରି ଟଙ୍କା ଉଠାଇପାରିବେ ବା ନିଜର ବାଲାନ୍ସ ଚେକ୍‌ କରିପାରିବେ । ପୁଣି ଏହାକୁ କେବଳ ଟଙ୍କା ଉଠାଣ ନୁହେଁ, ବରଂ ଅନେକ ପ୍ରକାରର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ସେବା ପାଇଁ ବ୍ୟବହାର କରିହେବ ।

ଏବେ ଦେଶରେ ଥିବା ଅଧିକାଂଶ ଏଟିଏମ ବେଶ ପୁରୁଣା ହୋଇଯାଇଛି । ପୁଣି ବିମୁଦ୍ରାୟନ ସମୟରେ ଏଟିଏମ ମେସିନ ଗୁଡ଼ିକ ଉପରେ ବ୍ୟାପକ ଚାପ ପଡିଥିଲା । ଏପରିକି କେତେକ ମେସିନ ଖରାପ ହୋଇଯାଇଥିଲା । ଏବେ ବିମୁଦ୍ରାୟନର ପ୍ରାୟ ୧୫ ମାସ ପରେ ବ୍ୟାଙ୍କମାନେ ନୂଆ ପିଢିର ଏଟିଏମ ମେସିନ ଲଗାଇବାକୁ ଆରମ୍ଭ କରିଛନ୍ତି । ଏଟିଏମ ମେସିନ ତିଆରି କରୁଥିବା କମ୍ପାନି ଏନସିଆରକୁ ନୂଆ ଧରଣର ଏଟିଏମ ଯୋଗାଣ ପାଇଁ ଅନେକ ବ୍ୟାଙ୍କ ଅର୍ଡର ଦେଇଛନ୍ତି ।

ସମ୍ବନ୍ଧିତ ଖବର