‘ଆଧାର’ରେ କରିହେବ ବ୍ୟାଙ୍କ ନେଣଦେଣ

ନୂଆଦିଲ୍ଲୀ: ୫୦ ହଜାର ଟଙ୍କାରୁ ଅଧିକ ରାଶି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ନେ‌ଣଦେଣ ‌କରିଲେ ସେଥିପାଇଁ ପାନ୍ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ରହିଛି। କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପାନ୍ ବଦଳରେ ଆଧାର କାର୍ଡ ବ୍ୟବହାର କରାଯାଇ ପାରିବ ବୋଲି ପ୍ରସ୍ତାବ ରଖିଥିବାରୁ ଏବେ ବ୍ୟାଙ୍କରୁ ୫୦ ହଜାର ଟଙ୍କାରୁ ଅଧିକ ନେଣଦେଣ କ୍ଷେତ୍ରରେ ଆଧାର ନମ୍ବରକୁ ଉଲ୍ଲେଖ କରାଯାଇ ପାରିବ।

ପାନ୍ ନମ୍ବର ବ୍ୟବହାରକୁ ଯେଉଁଠି ବାଧ୍ୟତାମୂଳକ କରାଯାଇଛି ସେସବୁ ସ୍ଥାନରେ ଆଧାର ନମ୍ବର ବ୍ୟବହାର କରିବା ଲାଗି ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ଦେଶରେ ୪୧ କୋଟିରୁ ଅଧିକ ପାନ୍‌କାର୍ଡ ଜାରି କରାଯାଇଛି। କିନ୍ତୁ ଏଥିରୁ ୨୨ କୋଟି ପାନ୍‌କାର୍ଡକୁ ଆଧାର ସହିତ ସଂଯୋଗ କରାଯାଇଛି। ତେବେ ୧୨୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ଆଧାର ନମ୍ବର ରହିଛି। ଜଣଙ୍କୁ ପାନକାର୍ଡ ଆବଶ୍ୟକ ହେଲେ ତାଙ୍କୁ ପ୍ରଥମେ ଆଧାର ନମ୍ବର ଆଣିବାକୁ ପଡ଼ୁଥିଲା। ଏହାପରେ ସେ ପାନ୍ ନମ୍ବର ପାଇ ତାହାକୁ ଆବଶ୍ୟକ ସ୍ଥାନରେ ବ୍ୟବହାର କରୁଥିଲେ। କିନ୍ତୁ ଏବେ ଏହି ବ୍ୟକ୍ତିମାନଙ୍କୁ ଆଉ ପାନ୍‌ କାର୍ଡ ଆବଶ୍ୟକ ପଡ଼ିବନି। ସେମାନଙ୍କ ପାଇଁ ବଜେଟରେ ରଖାଯାଇଥିବା ପ୍ରସ୍ତାବ ବଡ଼ ସୁବିଧା ଆଣିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଦେଶରେ କଳାଟଙ୍କା କାରବାରକୁ ରୋକିବା ଲାଗି ୫୦ ହଜାର ଟଙ୍କାରୁ ଅଧିକ କାରବାର କ୍ଷେତ୍ରରେ ପାନ୍ ନମ୍ବର ଉଲ୍ଲେଖକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି କିଣିଲେ ସେଥିପାଇଁ ପାନ୍‌ ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଭବିଷ୍ୟତରେ ପାନ୍‌କାର୍ଡକୁ ଉଚ୍ଛେଦ କରି ଦିଆଯିବ କି ବୋଲି ପ୍ରଶ୍ନରେ ଶ୍ରୀ ପାଣ୍ଡେ କହିଛନ୍ତି ତାହା ହେବନାହିଁ। ଉଭୟ ପାନ୍ ଏବଂ ଆଧାର ବ୍ୟବସ୍ଥା ରହିବ। କାରଣ କିଛି ଲୋକ ଆଧାର ବ୍ୟବହାରକୁ ପସନ୍ଦ କରିପାରନ୍ତି। କିଛି ଲୋକ ପାନ୍‌କାର୍ଡ ବ୍ୟବହାର କରିପାରନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର