ବ୍ୟାଙ୍କ ଅଧିକ ସମୟ ଖୋଲା ରହିବ

୮୪ ଶାଖା, ୨୩ ଏଟିଏମ୍‌ ଖୋଲା ରହିଛି: ଷ୍ଟେଟ୍‌ ବ୍ୟାଙ୍କ

ବ୍ୟାଙ୍କ ନଥିବା ଅଞ୍ଚଳରେ ବୁଲିବ ଭ୍ରାମ୍ୟମାଣ ଏଟିଏମ୍
ପୁରୀରେ ସ୍ଥିତି ସୁଧୁରିବାକୁ ସମୟ ଲାଗିବ
ଦିନକର ଦରମା ଦାନ କରିବେ ରିଜର୍ଭ ବ୍ୟାଙ୍କ କର୍ମଚାରୀ
ନଗଦ ଅଭାବ ନାହିଁ: ରିଜର୍ଭ ବ୍ୟାଙ୍କ

ଭୁବନେଶ୍ବର: ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ବ୍ୟାଙ୍କ ଶାଖାଗୁଡ଼ିକ ଅଧିକ ସମୟ ଖୋଲାରହିବ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାଖାଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ ହେବ। ରବିବାର ଓ ଛୁଟିଦିନଗୁଡ଼ିକରେ ମଧ୍ୟ ଶାଖାଗୁଡ଼ିକ ଖୋଲା ରହିବ। ଆବଶ୍ୟକ ହେଉଥିବା ଅଞ୍ଚଳରେ ବ୍ୟାଙ୍କ ଶାଖାଗୁଡ଼ିକୁ ସନ୍ଧ୍ୟା ୬ଟା ପରେ ମଧ୍ୟ ଖୋଲା ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ଆଜି ରିଜର୍ଭ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟରେ ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା କିଭଳି ରହିଛି ତାହାର ସମୀକ୍ଷା କରାଯାଇଥିଲା। ସେହି ବୈଠକରୁ ମିଳିଥିବା ସୂଚନାକୁ ଆଧାର କରି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ମହେଶ କୁମାର ମଲ୍ଲ କହିଛନ୍ତି ଯେ, ପୁରୀକୁ ବାଦ ଦେଲେ ଅନ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଥିବା ୫୦%ରୁ ଅଧିକ ବ୍ୟାଙ୍କ ଶାଖା ଓ ଏଟିଏମ୍ ଖୋଲା ରହିଛି। ବାତ୍ୟା ଦ୍ବାରା ପୁରୀ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାକାର ସ୍ଥିତିରେ ସୁଧାର ଆସିବାକୁ ଅଧିକ ସମୟ ଲାଗିବ। ବର୍ତ୍ତମାନ ପରିସ୍ଥିତିରେ ‌ଅଧିକାଂଶ ଶାଖା ଡିଜି ସେଟ୍ ଜରିଆରେ ଚାଲୁ ରହିଛି। ଏଟିଏମ୍‌ଗୁଡ଼ିକୁ ମଧ୍ୟ ସେହିଭଳି ଭାବେ ଚାଲୁ ରଖିବାକୁ ପ୍ରୟାସ କରାଯାଉଛି। ଏବେବି ଅନେକ ଏଟିଏମ୍‌ରେ ତାଲା ପଡ଼ିଛି। ଲିଙ୍କ୍‌ ଓ ବିଦ୍ୟୁତ ସମସ୍ୟା ଯୋଗୁ ଅନେକ ଏଟିଏମ୍‌ଗୁଡ଼ିକ କାମ କରୁନାହିଁ ଏବଂ ସେହି ଅସୁବିଧାକୁ ଶୀଘ୍ର ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କ ଅଧିକାରୀମାନଙ୍କୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ଓ ଦୂରସଂଚାର କଂପାନି ସହାୟତାରେ ଅଚଳ ଶାଖା ଓ ଏଟିଏମ୍‌ଗୁଡ଼ିକୁ ଚାଲୁ କରିବା ପାଇଁ ଯଥାଶୀଘ୍ର ଉଦ୍ୟମ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୁରୀ, ଭୁବନେଶ୍ବର ଓ କଟକରେ ଥିବା ଶାଖାଗୁଡ଼ିକୁ ଅଧିକ ଷ୍ଟାଫ୍‌ ପଠାଇବାକୁ ସେମାନଙ୍କୁ କୁହାଯାଇଛି।
ବ୍ୟାଙ୍କ ସେବା ପହଞ୍ଚିନଥିବା ଅଞ୍ଚଳରେ ଭ୍ରାମ୍ୟମାଣ ଏଟିଏମ୍ ଜରିଆରେ ଲୋକମାନଙ୍କୁ ଟଙ୍କା ଉଠାଣ ସୁବିଧା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସେହି ସବୁ ସ୍ଥାନରେ ଥିବା ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ୍‌ (ବିସି)ମାନଙ୍କୁ ଅଧିକ ମାତ୍ରାରେ ପଏଣ୍ଟ୍‌ ‌ଅଫ୍ ସେଲ୍‌ (ପିଓଏସ୍‌) ମେସିନ୍ ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପିଓଏସ୍‌ ଜରିଆରେ ବିସିମାନେ ଲୋକମାନଙ୍କୁ ଟଙ୍କା ଉଠାଣ ସୁବିଧା ପ୍ରଦାନ କରିବେ। ଏହା ବ୍ୟତୀତ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରେ ଲ୍ୟାଣ୍ଡ୍‌ଲାଇନ୍‌ ଓ ଫ୍ୟାକ୍ସ ସଂଯୋଗ ରହିବ। ବ୍ୟାଙ୍କ ସେବା ସମ୍ପର୍କିତ ସମସ୍ୟାଗୁଡ଼ିକ ଉପରେ ଏହା ନଜର ରଖିବ।
ଶ୍ରୀ ମଲ୍ଲ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟଙ୍କାର କୌଣସି ଅଭାବ ନାହିଁ। ସ୍ବତନ୍ତ୍ର ପୁଲିସ ବଳ ସହାୟତାରେ ଏହି ସବୁ ସ୍ଥାନକୁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପରିମାଣର ଟଙ୍କା ପଠାଉଛି। ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକରେ ୫୦%ରୁ ଅଧିକ କରେନ୍ସି ଚେଷ୍ଟ୍‌ କାମ କରୁଛି ବୋଲି ସେ କହିଛନ୍ତି। ନଗଦ ଟଙ୍କାକୁ ନେଇ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ସେ ଦାବି କରିଛନ୍ତି। କରେନ୍ସି ଚେଷ୍ଟ୍‌ ଓ ବ୍ୟାଙ୍କ ଶାଖାଗୁଡ଼ିକରେ ଆବଶ୍ୟକ ପରିମାଣର ନଗଦ ଟଙ୍କା ଗଚ୍ଛିତ ରହିଥିବା ସେ କହିଛନ୍ତି।
ସେ କହିଲେ, ବାତ୍ୟା ପରବର୍ତି ଥଇଥାନ କାର୍ଯ୍ୟ ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ଅତିକମରେ ଗୋଟିଏ ଦିନର ଦରମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ନିଜ ଅଞ୍ଚଳରେ ଥିବା ବ୍ୟାଙ୍କ ଶାଖାରେ ଚିରାଫଟା ଓ ଓଦା ହୋଇ ନଷ୍ଟ ହୋଇଯାଇଥିବା ନୋଟ୍‌ଗୁଡ଼ିକୁ ବଦଳାଇପାରିବେ। ଏହି କାର୍ଯ୍ୟରେ ଲୋକମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଭୁବନେଶ୍ବର,: ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ହୋଇନଥିଲେ ମଧ୍ୟ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଆମର ୮୪ଟି ଶାଖା ଖୋଲାରହିଛି ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ସହର ଭିତରେ ଥିବା ୨୩ଟି ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇପାରିଛି। ପୁରୀ ସହରରେ ବ୍ୟାଙ୍କ ପକ୍ଷରୁ ଆଜି ୪ଟି ଶାଖାକୁ ଖୋଲାଯାଇଛି। ବ୍ୟାତା ପ୍ରଭାବିତ ଅଞ୍ଚଳରେ ଥିବା ଷ୍ଟେଟ୍‌ ବ୍ୟାଙ୍କର ସବୁ ଶାଖା ଖୁବ୍‌ଶୀଘ୍ର ଖୋଲିବ ବୋଲି ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୁରୀ ସହରର ବାତ୍ୟା ବିପନ୍ନଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆଜି ୫ଟି ଟ୍ରକ୍‌ରେ ଖାଦ୍ୟ ଓ ପିଇବା ପାଣି ବୋତଲ ପଠାଯାଇଛି। ଏହାକୁ ବ୍ୟାଙ୍କର ସିଜିଏମ୍ ପ୍ରବୀଣା କାଲା ଏବଂ ଦେବୀ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର