ଭୁବନେଶ୍ୱର: ବ୍ୟାଙ୍କରମାନେ ସହାନୁଭୂତିଶୀଳ ହୋଇ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବହୁଳ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାନ୍ତୁ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତ। ଆଜି ରାଜଭବନର ନୂଆ ଅଭିଷେକ ହଲଠାରେ ରାଜ୍ୟରେ ବ୍ୟାଙ୍କରମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହା କହିବା ସହିତ ହିତାଧିକାରୀଙ୍କ ଜୀବନଜୀବିକାର ଉନ୍ନତିପାଇଁ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଜଣାଇଛନ୍ତି।
ବ୍ୟାଙ୍କ- ଲିଙ୍କଡ୍ ଜୀବିକା ଯୋଜନା ପ୍ରସଙ୍ଗ, ଦେଖାଯାଉଥିବା ଆହ୍ବାନ ଏବଂ ସଫଳତା ଉପରେ ସମୀକ୍ଷାକରି ରାଜ୍ୟପାଳ କହିଥିଲେ ଯେ ବ୍ୟାଙ୍କରମାନେ କେବଳ କାରବାର ଉପରେ ଧ୍ୟାନ ଦେବା ଉଚିତ ନୁହେଁ ବରଂ ସରକାରୀ କଲ୍ୟାଣକାରୀ ପଦକ୍ଷେପର ସାମାଜିକ ପ୍ରଭାବକୁ ବୁଝିବା ଉଚିତ। ରାଜ୍ୟର ଅଭିବୃଦ୍ଧି ହାର ୭% ରହିଛି ଏବଂ ୯% ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏହାକୁ ହାସଲ କରିବାରେ ବ୍ୟାଙ୍କରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ବ୍ୟାଙ୍କରମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଛନ୍ତି।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା କମ୍ ଥିବାରୁ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ। ଅନେକ ବ୍ୟାଙ୍କର ଗ୍ରାହକ/ହିତାଧିକାରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାରେ କିମ୍ବା ଏପରି ଯୋଜନାରେ ମିଳୁଥିବା ଲାଭ ବିଷୟରେ ବୁଝାଇବାରେ ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି। ଏଣୁ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟିକରିବାକୁ ରାଜ୍ୟପାଳ କହିଥିଲେ। ବ୍ୟାଙ୍କଗୁଡ଼ିକୁ ସାର୍ବଜନୀନ କଭରେଜ୍ ପାଇଁ ଲକ୍ଷ୍ୟ ରଖିବାକୁ ଏବଂ ଏହି ଯୋଜନାମାନଙ୍କରେ ଅତି କମରେ ୮୦ ଶତକଡ଼ା ସଞ୍ଚୟ ଖାତାଧାରକଙ୍କୁ ଅନ୍ତର୍ଭୁକ୍ତ କରିବା ନିଶ୍ଚିତ କରିବାକୁ ରାଜ୍ୟପାଳ କହିଛନ୍ତି। ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରମୁଖ ବ୍ୟାଙ୍କମାନଙ୍କର ମୁଖ୍ୟମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/19/fshhfshfxvvbbv-2025-10-19-00-26-09.jpg)