ନୂଆଦିଲ୍ଲୀ : ନିଜ ସଂସ୍ଥା ଲାଗି ଋଣ ନେଇ ତାହାକୁ ପରିଶୋଧ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ ବ୍ୟାଙ୍କରପ୍ସି ମାମଲା ରୁଜୁ କରାଯାଇପାରିବ। ଏଥିପାଇଁ ସୁପ୍ରିମ୍କୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି। ଋଣ ରାଶି ଫେରି ପାଇବା ଲାଗି ବ୍ୟାଙ୍କଗୁଡ଼ିକ ଉଦ୍ୟୋଗପତି କିମ୍ବା ଗ୍ୟାରେଣ୍ଟରଙ୍କ ନାମରେ ବ୍ୟାଙ୍କରପ୍ସି ମାମଲା ରୁଜୁ କରିପାରିବେ। ସେମାନଙ୍କୁ କୋର୍ଟକୁ ଟାଣିପାରିବେ। ବିଚାରପତି ଏଲ୍ ନାଗେଶ୍ବର ରାଓଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।
ସଂପ୍ରତି ପ୍ରଚଳନରେ ଥିବା ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଆଧାରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଋଣ ରାଶି ଫେରିପାଇବା ଲାଗି କଂପାନିଗୁଡ଼ିକ ବିରୋଧରେ ଇନ୍ସଲ୍ଭେନ୍ସି ମାମଲା ରୁଜୁ କରୁଛନ୍ତି। ସେମାନଙ୍କୁ ଦେବାଳିଆ ଘୋଷଣା କରିବା ଲାଗି ନ୍ୟାସନାଲ୍ କଂପାନି ଲ' ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି)ରେ ଆବେଦନ କରୁଛନ୍ତି। ସେଠାରେ ମାମଲାର ବିଚାର ହେବା ପରେ କଂପାନିର ସମ୍ପତ୍ତିକୁ ନିଲାମ କରି ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଅର୍ଥରାଶି ଫେରସ୍ତ କରାଯାଉଛି। ସେହି କୋଡ୍ରେ ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ ବ୍ୟାଙ୍କରପ୍ସି ମାମଲା ରୁଜୁ କରିବାର ବ୍ୟବସ୍ଥା ରହିଛି। ୨୦୧୯ରେ ସରକାର ସେହି ନିୟମ ଲାଗୁ କରିଥିଲେ। ଯେଉଁ ବ୍ୟକ୍ତି ଋଣ ପାଇଁ ଗ୍ୟାରେଣ୍ଟର ହୋଇଥିବେ ସଂସ୍ଥା ଯଦି ଋଣ ଖିଲାପ କରିବ ତେବେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଗ୍ୟାରେଣ୍ଟର୍ଙ୍କ ବିରୋଧରେ ବ୍ୟାଙ୍କରପ୍ସି ମାମଲା ରୁଜୁ କରିପାରିବେ। ଗତବର୍ଷ ରିଲାଏନ୍ସ କମ୍ୟୁନିକେସନ୍ର ମୁଖ୍ୟ ଅନିଲ ଅମ୍ବାନି, ଡିଏଚ୍ଏଫ୍ଏଲ୍ର କପିଲ୍ ୱାଧ୍ୱାନ୍ ଓ ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ର ମୁଖ୍ୟ ସଞ୍ଚୟ ସିଂଘଲଙ୍କ ବିରୋଧରେ ବ୍ୟାଙ୍କରପ୍ସି ମାମଲା ରୁଜୁ କରାଯାଇଥିଲା। କିନ୍ତୁ ହାଇକୋର୍ଟ ଉକ୍ତ ମାମଲାଗୁଡ଼ିକ ଉପରେ ରୋକ ଲଗାଇଥିଲେ। କିନ୍ତୁ, ସୁପ୍ରିମ୍କୋର୍ଟ ଆଜି ସେଥିପାଇଁ ଅନୁମତି ପ୍ରଦାନ କରିଥିବାରୁ ଫସି ରହିଥିବା ଋଣ ରାଶି ଫେରିପାଇବା ଲାଗି ବ୍ୟାଙ୍କଗୁଡ଼ିକ ମନୋବଳ ଆହୁରି ଦୃଢ଼ ହୋଇଥିବ ବୋଲି ଆଶା କରାଯାଉଛି। କଂପାନି ବିରୋଧରେ ରୁଜୁ କରାଯାଇଥିବା ବ୍ୟାଙ୍କରପ୍ସି ମାମଲାର ଫଇସଲା ବିଳମ୍ବ ହେଲେ ଗ୍ୟାରେଣ୍ଟର୍ଙ୍କ ଠାରୁ ବ୍ୟାଙ୍କଗୁଡ଼ିକ ନିଜ ଟଙ୍କା ବାହାର କରିପାରିବେ।