ଭୋଡା ଆଇଡିଆ ସ୍ଥିତିକୁ ନେଇ ବ୍ୟାଙ୍କ ଚିନ୍ତିତ, ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ଆକ୍ସିସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆର ଆର୍ଥିକ ସ୍ଥିତିକୁ ନେଇ ଏହାକୁ ଋଣ ଦେଇଥିବା ଆକ୍ସିସ୍ ବ୍ୟାଙ୍କ ବେଶ ଚିନ୍ତିତ ହୋଇପଡ଼ିଛି। ଏହି ସଂସ୍ଥା ବୁଡ଼ିବା ପୂର୍ବରୁ ତାହାକୁ ବଞ୍ଚାଇବା ଲାଗି ସରକାର କିଛି ସମାଧାନ ପନ୍ଥା ବାହାର କରିବା ଦରକାର ବୋଲି ବ୍ୟାଙ୍କର ସିଇଓ ଅମିତାଭ ଚୌଧୁରୀ କହିଛନ୍ତି। ଭୋଡାଫୋନ୍ ଆଇଡିଆ ଉପରେ ବିଭିନ୍ନ ଦେୟ ବାବଦକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବାକି ରହିଛି। ଯଦି ଏହି ସଂସ୍ଥା ବୁଡ଼ିଯିବ ତେବେ ବ୍ୟାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷତି ସହିବେ। ଭୋଡାଫୋନ୍ ଠାରୁ କେନ୍ଦ୍ର ସରକାର ଆଡଜଷ୍ଟେଟ୍‌ ଗ୍ରସ ରେଭିନ୍ୟୁ (ଏଜିଆର୍‌) ବାବଦରେ ୫୮,୨୫୪ କୋଟି ଟଙ୍କା ଓ ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ବାବଦରେ ୯୬,୩୦୦ କୋଟି ଟଙ୍କା ପାଇବାର ଅଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକର ୨୮,୭୦୦ କୋଟି ଟଙ୍କା ମଧ୍ୟ କଂପାନିରେ ଫସି ରହିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ପିଏନ୍‌ବି, ୟେସ୍‌ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଠାରୁ ଭୋଡାଫୋନ୍ ଆଇଡିଆ ନେଇଥିବା ଋଣ ପରିଶୋଧ କରିନାହିଁ। ଯଦି ସଂସ୍ଥା ବୁଡ଼ିବ ତେବେ ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ରାଶି ହରାଇବେ।

ଭୋଡାଫୋନ୍ ଆଇଡିଆକୁ ନୂଆ ପାଣ୍ଠି ମିଳିଲେ ହିଁ ତାହା ବଞ୍ଚିରହିବ ବୋଲି କୁହାଯାଉଛି। କିନ୍ତୁ ଏହାର ଦୁଇ ପ୍ରମୁଖ ନିବେଶକ ବିର୍ଲା ଗ୍ରୁପ୍ ଓ ବ୍ରିଟେନ୍‌ର ସଂସ୍ଥା ଭୋଡାଫୋନ୍ କଂପାନିକୁ ଆଉ ନୂଆ ପାଣ୍ଠି ଦେବାକୁ ଚାହୁନାହାନ୍ତି। ନିଜସ୍ବ ଉଦ୍ୟମରେ ନିବେଶକମାନଙ୍କ ଠାରୁ ପାଣ୍ଠି ଯୋଗାଡ଼ କରିବା ଲାଗି ଉଦ୍ୟମ କରି କଂପାନି ବିଫଳ ହୋଇଛି। ଯେହେତୁ ସରକାରଙ୍କ ତରଫରୁ କୌଣସି ପ୍ରତିଶ୍ରୁତି ଦିଆଯାଉନାହିଁ ତେଣୁ କୌଣସି ନିବେଶକ ଭୋଡାଫୋନ୍ ଆଇଡିଆରେ ନିବେଶ କରିବାକୁ ଚାହୁନାହାନ୍ତି। ଏଜିଆର୍‌ ବାବଦ ଦେୟ ଛାଡ଼ କରିବା ଲାଗି କଂପାନି ସୁପ୍ରିମ୍‌କୋର୍ଟରେ ଆବେଦନ କରି ନିରାଶ ହୋଇଛି। ରାୟର ପୁନର୍ବିଚାର ଲାଗି ପୁଣି ଥରେ ଆବେଦନ କରିବା ଉପରେ କଂପାନି ବିଚାର କରୁଛନ୍ତି। କୌଣସି ପରିସ୍ଥିତିରେ ଭୋଡାଫୋନ୍ ଆଇଡିଆ ଉପରେ ବାକି ଥିବା ବକେୟା ରାଶିକୁ ସରକାର ହରାଇବାକୁ ଚାହୁନାହାନ୍ତି। ତେବ ବ୍ରିଟେନ୍‌ର ସଂସ୍ଥା ଭୋଡାଫୋନ୍‌ ଉପରେ ଯେଉଁ ପିଛିଲା ଟିକସ ଲାଗୁ କରାଯାଇଥିଲା ସେହି ନୋଟିସ୍‌କୁ ପ୍ରତ୍ୟାହାର କରିବା ଉପରେ ସରକାର ବିଚାର କରୁଛନ୍ତି।

ଭୋଡାଫୋନ୍ ଆଇଡିଆରେ ଥିବା ନିଜର ୨୭% ଅଂଶଧନ ସରକାର କିମ୍ବା ଅନ୍ୟ ଯେକୌଣସି ଯୋଗ୍ୟ ସଂସ୍ଥାକୁ ହସ୍ତାନ୍ତର କରିବା ଲାଗି ନିଜ ଅଭିପ୍ରାୟ ବିଷୟରେ ଉଲ୍ଲେଖ କରି କୁମାର ମଙ୍ଗଳମ ବିର୍ଲା ଦୁଇ ମାସ ତଳେ ଟେଲିକମ୍ ସଚିବ ରାଜୀବ ଗୌବାଙ୍କୁ ଏକ ଚିଠି ଲେଖିଥିଲେ। ସରକାରଙ୍କ ହସ୍ତକ୍ଷେପ ବିନା କଂପାନି ତିଷ୍ଠି ରହିବା ସମ୍ଭବପର ନୁହେଁ ବୋଲି ସେ ଜଣାଇଥିଲେ। ଚାରି ଦିନ ପୂର୍ବେ ସେହି ଚିଠି ପ୍ରଘଟ ହୋଇଥିଲା। ଏହା ପରେ ଷ୍ଟକ ବଜାରରେ ଭୋଡାଫୋନ୍ ଆଇଡିଆ ବିପୁଳ କ୍ଷତି ସହିଛି। ଭୋଡାଫୋନ୍ ଆଡିଆ ଠାରୁ ବିର୍ଲା ନିଜକୁ ଦୂରେଇ ନେଇଛନ୍ତି। କଂପାନିରେ ସେ ଯେଉଁ ପଦରେ ଥିଲେ ସେଥିରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର