ବଡ଼ କଂପାନି ଖୋଲିପାରିବେନି ବ୍ୟାଙ୍କ

ସୁପାରିସ ଗ୍ରହଣ କଲାନି ରିଜର୍ଭ ବ୍ୟାଙ୍କ, ସମ୍ପୂର୍ଣ୍ଣ ମନା ବି କରିନାହିଁ, ବିଚାର କରୁଛି

ନୂଆଦିଲ୍ଲୀ : ବ୍ୟାଙ୍କ କାରବାର କ୍ଷେତ୍ରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଦେଶର ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଝଟ୍‌କା ଦେଇଛନ୍ତି। ବ୍ୟାଙ୍କ ଖୋଲିବା ଲାଗି କର୍ପୋରେଟ୍ ସଂସ୍ଥାଙ୍କୁ ଅନୁମତି ଦେବାକୁ ଏକ କମିଟି ସୁପାରିସ କରିଥିଲା। ସେହି ସୁପାରିସ୍‌କୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯେଉଁ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଥିଲା ତାହା ମୋଟ ୩୩ଟି ସୁପାରିସ୍‌ କରିଥିଲା। ସେଥିରୁ ଗୋଟିଏ ଥିଲା କର୍ପୋରେଟ୍ ସଂସ୍ଥାଙ୍କୁ ବ୍ୟାଙ୍କ ଖୋଲିବା ଲାଗି ଲାଇସେନ୍ସ ଜାରି କରିବା। ରିଜର୍ଭ ବ୍ୟାଙ୍କ ୨୧ଟି ସୁପାରିସ୍‌କୁ ଗ୍ରହଣ କରିଥିବା ବେଳେ ଅନ୍ୟ ୧୨ଟି ସୁପାରିସ ଉପରେ ବିଚାରବିମର୍ଶ ଚାଲିଥିବା କହିଛି।

ଟାଟା, ବିର୍ଲା ଭଳି ବଡ଼ କର୍ପୋରେଟ୍ ସଂସ୍ଥାଙ୍କୁ ବ୍ୟାଙ୍କ ଲାଇସେନ୍ସ ଦେବା ଲାଗି କମିଟି ସୁପାରିସ କରିବା ପରେ ତାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣରଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସ୍ତାବକୁ ନିନ୍ଦା କରିଥିଲେ। ଦେଶର କିଛି ବଡ଼ କର୍ପୋରେଟ୍ ସଂସ୍ଥା ଯଥା ଟାଟା ଓ ବିର୍ଲା ଗ୍ରୁପ୍‌ର ନିଜସ୍ବ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ରହିଛି। ସେମାନେ ପୂର୍ଣ୍ଣାଙ୍ଗ ବ୍ୟାଙ୍କ ଖୋଲିବା ଅନୁମତି ଅପେକ୍ଷାରେ ଥିଲେ। ରିଜର୍ଭ ବ୍ୟାଙ୍କ ସେଥିପାଇଁ ସବୁଜ ସଙ୍କେତ ଦେଇନଥିବାରୁ ସେମାନଙ୍କୁ ଡବଲ୍ ଧକ୍କା ଲାଗିଛି। ଗୋଟିଏ ପଟେ ବ୍ୟାଙ୍କ ଖୋଲିବା ଲାଗି ସେମାନଙ୍କ ସ୍ବପ୍ନ ଅଧୁରା ରହିଥିବା ବେଳେ ଅନ୍ୟ ପକ୍ଷେ ଏନ୍‌ବିଏଫ୍‌ସି ନିୟମକୁ ଆହୁରି କଡ଼ାକଡ଼ି କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ତିନି ବର୍ଷ ଭିତରେ ପେମେଣ୍ଟ୍ ବ୍ୟାଙ୍କଗୁଡ଼ିକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ରୂପାନ୍ତରିତ କରିବା ଲାଗି ଯେଉଁ ସୁପାରିସ୍ କରାଯାଇଥିଲା ତାହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଖାରଜ କରିଦେଇଛି। ଏହି ନିଷ୍ପତ୍ତି ଯୋଗୁଁ ପେଟିଏମ୍ ସର୍ବାଧିକ ପ୍ରଭାବିତ ହେବ। ଏହି ସଂସ୍ଥା ଋଣ ପ୍ରଦାନ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବାକୁ ଚାତକ ଭଳି ଚାହିରହିଥିଲା। ଏହି ସୁବିଧା ପାଇବା ଲାଗି ପେମେଣ୍ଟ୍ ବ୍ୟାଙ୍କଗୁଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ପାଇଁ ସର୍ବନିମ୍ନ ପୁଞ୍ଜିକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥି ସହିତ ୨୬% ଅଂଶଧନ ନିଜ ପାଖରେ ରଖିବାର ଅନୁମତି ମଧ୍ୟ ଦିଆଯାଇଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକଙ୍କ ପାଇଁ ଏହା ଲାଭଦାୟକ ହେବ। ସେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ। ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ପ୍ରତିଷ୍ଠାତାମାନେ ବ୍ୟାଙ୍କରେ ନିଜ ଅଂଶଧନ ୨୬%ରୁ ନିମ୍ନ ସ୍ତରକୁ ହ୍ରାସ କରିଛନ୍ତି ସେମାନେ ଆଉ ତାହା ବଢ଼ାଇପାରିବେ ନାହିଁ। ଅଣ-ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ଅଣ ପ୍ରତିଷ୍ଠାତା ସଦସ୍ୟଙ୍କ ଅଂଶଧନ ୧୦%ରେ ଓ ଆର୍ଥିକ ଅନୁଷ୍ଠାନ ଓ ସରକାରୀ ସଂସ୍ଥାରେ ୧୫%ରେ ସୀମିତ ରହିବ। ନୂଆ ବ୍ୟାଙ୍କ ଲାଇସେନ୍ସ ପାଇଁ ଦରକାର ହେଉଥିବା ପ୍ରାରମ୍ଭିକ ପୁଞ୍ଜି ପରିମାଣ ବଢ଼ାଇବା ସୁପାରିସ୍‌କୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଛି। ସାର୍ବଜନୀନ ବ୍ୟାଙ୍କ ଲାଗି ପ୍ରାରମ୍ଭିକ ପୁଞ୍ଜି ସୀମାକୁ ୫୦୦ କୋଟି ଟଙ୍କାରୁ ବଢ଼ାଇ ୧୦୦୦ କୋଟି ଟଙ୍କା କରାଯାଇଛି। ସ୍ମଲ ଫାଇନାନ୍ସ ବ୍ୟାଙ୍କ ଖୋଲିବା ଲାଗି ପ୍ରାରମ୍ଭିକ ପାଣ୍ଠି ଆବଶ୍ୟକତାକୁ ୨୦୦ ଟଙ୍କାରୁ ବଢ଼ାଇ ୩୦୦ ଟଙ୍କା କରାଯାଇଛି।

ସମ୍ବନ୍ଧିତ ଖବର