ଛୁଟି ନ ଥିଲେ ବି ଦୁଇଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ, କାଲି ସୁଦ୍ଧା ଶେଷ କରି ଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ବ୍ୟାଙ୍କ ସହିତ ଜଡ଼ିତ ଥିବା ଯଦି କୌଣସି ଆବଶ୍ୟକୀୟ କାମ ରହିଛି ତେବେ ତାହାକୁ କାଲି ସୁଦ୍ଧା ଶେଷ କରି ଦିଅନ୍ତୁ। କାରଣ ମଇ ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିପାରେ। ଏମିତି ହେଲେ ଆପଣଙ୍କୁ ଦୁଇଦିନ ପାଇଁ ନେଣଦେଣରେ ଅସୁବିଧା ହୋଇପାରେ।

ସୂଚନାଯୋଗ୍ୟ, ସରକାରୀ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ମଇ ୩୦ରୁ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି। ବେତନର ଦୁଇ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ବିରୋଧକୁ ନେଇ ସେମାନେ ଏହି ଧର୍ମଘଟକୁ ଓହ୍ଲାଇଛନ୍ତି। ମଇ ୩୦ ତାରିଖ ପୂର୍ବରୁ ଯଦି ବ୍ୟାଙ୍କ କର୍ମଚାରୀଙ୍କ ଏହି ଦାବି ପୂରଣ କରା ନଯାଏ ତେବେ ଏହି ଧର୍ମଘଟ ସ୍ଥିର ବୋଲି କୁହାଯାଉଛି। ଏହି ଧର୍ମଘଟର ପ୍ରଭାବ ଘରୋଇ ବ୍ୟାଙ୍କକୁ କମ୍‌ ପଡ଼ିବ। କାରଣ ଏହି ଧର୍ମଘଟରେ ବିଶେଷ ଭାବେ ସରକାରୀ ବ୍ୟାଙ୍କ କର୍ମଚାରୀମାନେ ସାମିଲ ରହିଛନ୍ତି।

ୟୁନାଇଟେଡ୍‌ ଫାରମ୍‌ ଅଫ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)ର ବ୍ୟାଙ୍କ କର୍ମଚାରୀଙ୍କ ସବୁ ୟୁନିୟନ୍‌ ସାମିଲ ରହିଛି। ଏଥିରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡରେସନ୍‌ (ଏଆଇବିଓସି), ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପଲଇଜ ଆସୋସିଏସନ୍‌(ଏଆଇବିଇଏ) ଓ ନ୍ୟାସନାଲ ଅରଗାନାଇଜେସନ୍‌ ଅଫ ବ୍ୟାଙ୍କ୍‌ ଓ୍ଵାକର୍ସ (ଏନ୍‌ଓବିଡବ୍ଲ୍ୟୁ) ସମେତ ଅନ୍ୟମାନେ ବି ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର