ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷର ପ୍ରଥମ ୧୧ ମାସରେ ଭାରତୀୟ ବ୍ୟାଙ୍କଗୁଡ଼ିକ ୧୫.୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହାଦ୍ବାରା ସେମାନଙ୍କ ମୋଟ ଋଣ ପ୍ରଦାନ ପରିମାଣ ୧୭୫.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୧ ମାସରେ ଏଥିରେ ୯.୩ ପ୍ରତିଶତ ବୃଦ୍ଧି ଘଟିଛି। ୧୫.୩ ଲକ୍ଷ କୋଟି ଟଙ୍କାର ନୂଆ ଋଣ ପ୍ରଦାନରେ ବ୍ୟକ୍ତିଗତ ଋଣର ଅଂଶ ସର୍ବାଧିକ ଅର୍ଥାତ୍‌ ୫.୪୭ ଲକ୍ଷ କୋଟି ଟଙ୍କା ବା ୩୫.୭୧ ପ୍ରତିଶତ ରହିଛି। ସେବା କ୍ଷେତ୍ରର ଋଣ ପ୍ରଦାନ ରାଶି ୪.୬୪ ଲକ୍ଷ କୋଟି ଟଙ୍କା ବା ୩୦.୩ ପ୍ରତିଶତ ରହିଛି। 

Advertisment

ବ୍ୟକ୍ତିଗତ ଋଣ ମଧ୍ୟରେ ଗୃହ ଋଣରେ ୨.୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଦେଖାଦେଇଛି। ଅର୍ଥାତ୍‌ ମୋଟ ନୂଆ ଋଣରେ ଏହା ପ୍ରାୟ ୧୭ ପ୍ରତିଶତ। କିନ୍ତୁ ଶିଳ୍ପ କ୍ଷେତ୍ରକୁ ନୂଆ ଋଣ ପ୍ରଦାନ ୨.୨୨ ଲକ୍ଷ କୋଟି ଟଙ୍କା ରହିଛି, ଅର୍ଥାତ୍‌ ମୋଟ ନୂଆ ଋଣ ପ୍ରଦାନରେ ଶିଳ୍ପ କ୍ଷେତ୍ରର ଅଂଶ ୧୪.୫୧ ପ୍ରତିଶତ। କୃଷି କ୍ଷେତ୍ରର ଋଣ ୧.୯୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ନୂଆ ଋଣରେ ଏହାର ଅଂଶ ୧୨.୫୯ ପ୍ରତିଶତ। ବୃହତ୍‌ ଶିଳ୍ପକୁ ନୂଆ ଋଣ ପ୍ରଦାନ ମନ୍ଥର ହୋଇ ୧.୧୫ ଲକ୍ଷ କୋଟି ଟଙ୍କାରେ ରହିଛି। ସେବା କ୍ଷେତ୍ର‌ ମଧ୍ୟରେ ବାଣିଜ୍ୟ ଏବଂ କମର୍ସିଆଲ ରିଅଲ ଇଷ୍ଟେଟ୍‌କୁ ସବୁଠୁ ଅଧିକ ଋଣ ମିଳିଛି। ତେବେ ହାଉସିଂ ଫାଇନାନ୍ସ କମ୍ପାନିଗୁଡ଼ିକର ଋଣ ୧୦୫୧ କୋଟି ଟଙ୍କା କମିଥିବାବେଳେ ସରକାରୀ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଋଣ ୯୩୬୯ କୋଟି ଟଙ୍କା କମିଛି।