ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ନିଜ ହିସାବ ଖାତାରୁ ୧୬.୩୫ ଲକ୍ଷ କୋଟି ଟଙ୍କାର ଋଣ ହଟାଇଛନ୍ତି। ଗ୍ରାହକଙ୍କଠାରୁ ସେହି ଋଣ ଆଦାୟ କରିବା ଲାଗି ଅନେକ ଚେଷ୍ଟା କରିବା ପରେ ବ୍ୟାଙ୍କଗୁଡ଼ିକ ବିଫଳ ହୋଇଛନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଖାତାକୁ ସ୍ବଚ୍ଛ ରଖିବା ଲାଗି ଅସୁଲ ହୋଇପାରୁନଥିବା ଏହି ଋଣକୁ ହଟାଇ ଦିଆଯାଇଛି। ବ୍ୟାଙ୍କ ଶିଳ୍ପ ଭାଷାରେ ସେହି ପ୍ରକ୍ରିୟାକୁ ରାଇଟ୍ ଅଫ୍ କୁହାଯାଏ। ତେବେ ରାଇଟ୍ ଅଫ୍ କରିବା ପରେ ବ୍ୟାଙ୍କଗୁଡ଼ିକ ସେହି ଟଙ୍କା ଭୁଲି ଯାଆନ୍ତି ନାହିଁ। ଗ୍ରାହକମାନଙ୍କ ପାଇଁ ସେହି ଋଣ ଛାଡ଼ କରାଯାଏ ନାହିଁ। ପୂର୍ବଭଳି ଅସୁଲି ପ୍ରକ୍ରିୟା ଜାରି ରହିଥାଏ।
ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସର୍ବାଧିକ ୨,୩୬,୨୬୫ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାଯାଇଥିଲା।୨୦୧୪-୧୫ରେ ୫୮,୭୮୬ କୋଟି ଟଙ୍କାର ଅନାଦେୟ ଋଣ (ଏନ୍ପିଏ) ରାଇଟ୍ ଅଫ୍ ହୋଇଥିଲା। ୨୦୨୨-୨୩ରେ ୨,୧୬,୩୨୪ କୋଟି ଟଙ୍କା ଓ ୨୦୨୩-୨୪ରେ ୧,୭୦,୨୭୦ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାଯାଇଛି। ଲୋକସଭାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଣାଇଛନ୍ତି ଯେ ଯେଉଁ ଅସୁଲ ହୋଇପାରୁନଥିବା ଋଣ ପାଇଁ ବ୍ୟାଙ୍କଗୁଡ଼ିକ ଅଲଗା ପାଣ୍ଠି ରଖନ୍ତି, ସେଗୁଡ଼ିକୁ ଖାତାରୁ ହଟାଇ ଦିଆଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡ୍ଲାଇନ୍ ପାଳନ କରି ବ୍ୟାଙ୍କଗୁଡ଼ିକ ରାଇଟ୍ ଅଫ୍ ପଦକ୍ଷେପ ନେଇଥାନ୍ତି। ଏହା ଦ୍ବାରା ଗ୍ରାହକଙ୍କ ଋଣ ଛାଡ଼ ହୁଏନାହିଁ। ସେମାନଙ୍କୁ କୌଣସି ସୁବିଧା ମିଳେନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ରାଇଟ୍ ଅଫ୍ କରାଯାଇଥିବା ଋଣ ଫେରିପାଇବା ଲାଗି ବ୍ୟାଙ୍କଗୁଡ଼ିକ କୋର୍ଟରେ ମାମଲା ରୁଜୁ କରିବା, ଡେବ୍ଟ ରିକଭରି ଟ୍ରିବ୍ୟୁନାଲ୍ ଯାଇଥାନ୍ତି। ନ୍ୟାସନାଲ୍ କମ୍ପାନି ଲ’ ଟ୍ରିବ୍ୟୁନାଲ୍ରେ ମଧ୍ୟ ମାମଲା ରୁଜୁ କରନ୍ତି। ଅର୍ଥମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇଥିବା ୨୯ଟି କମ୍ପାନି ଉପରେ ୧୦୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଋଣ ବକେୟା ରହିଛି। ଏହି ଖାତାଗୁଡ଼ିକରେ ହାରାହାରି ବକେୟା ୬୧,୦୨୭ କୋଟି ଟଙ୍କା ରହିଛି।