ସଂକଟରେ ବ୍ୟାଙ୍କ, ବିକିବେ ସେୟାର: ଷ୍ଟେଟ୍ ବ୍ୟାଙ୍କ, ପିଏନ୍ବି, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦାର ଯୋଜନା
ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ ବହୁତ ବଢ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭବିଷ୍ୟତର ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କଗୁଡ଼ିକ ଏବେଠାରୁ ସଜାଗ ହୋଇପଡ଼ିଛନ୍ତି। ଦେଶର ଚାରିଟି ବଡ଼ ସରକାରୀ ବ୍ୟାଙ୍କ ନିଜର ସେୟାର ବିକ୍ରି କରି ପୁଞ୍ଜି ହାସଲ କରିବା ଉପରେ ବିଚାର କରୁଛନ୍ତି। ସେଗୁଡ଼ିକ ହେଉଛି ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦା। ବ୍ୟାଙ୍କଗୁଡ଼ିକ ଯୋଗ୍ୟ ସଂସ୍ଥାଗତ ପ୍ଲେସ୍ମେଣ୍ଟ୍ (କ୍ୟୁଆଇପି) ଜରିଆରେ ସେୟାର ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଆର୍ଥିକ ଫଳାଫଳ ପ୍ରକାଶ ପାଇବା ପରେ ସେମାନେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ଷ୍ଟେଟ୍ ବ୍ୟାଙ୍କ ପୁଞ୍ଜି ବଜାରରୁ ୨୦ ହଜାର କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୭୦୦୦ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ବରୋଦା ୯୦୦୦ କୋଟି ଟଙ୍କା ଓ ୟୁନିୟନ ବ୍ୟାଙ୍କ ୬,୮୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଡାଉନ୍ ସମୟରେ ଗ୍ରାହକଙ୍କ ଉପରୁ ଚାପ ଦୂର କରିବା ଲାଗି ଛଅ ମାସର ମୋରାଟୋରିଅମ୍ ଘୋଷଣା କରାଯାଇଥିଲା। ତେଣୁ ସେହି ସମୟରେ ଋଣ ପରିଶୋଧ ଓ ବୁଡ଼ିଯିବା ଆଶଙ୍କା ଥିବା ଋଣର ସ୍ପଷ୍ଟ ଚିତ୍ର ମିଳିନାହିଁ। ଚଳିତ ମାସ ୩୧ରେ ମୋରାଟୋରିଅମ୍ ଅବଧି ଶେଷ ହେବ। ତେଣୁ ଆସନ୍ତା ଅକ୍ଟୋବର ସୁଦ୍ଧା ଅନାଦେୟ ଋଣ ବା ଏନ୍ପିଏର ଏକ ସ୍ପଷ୍ଟ ଚିତ୍ର ମିଳିବ। ତା’ପରେ ବ୍ୟାଙ୍କଗୁଡ଼ିକ ସେୟାର ବିକ୍ରି କରିବା ଲାଗି ମର୍ଚାଣ୍ଟ୍ ବ୍ୟାଙ୍କରମାନଙ୍କୁ ଦାୟିତ୍ବ ଦେବେ। ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରିବା ଲାଗି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଯୋଜନା ରଖିିଛି। କିଛି ଦିନ ତଳେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ କ୍ୟୁଆଇପି ଜରିଆରେ ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକୁ ଏକ ନିର୍ଦିଷ୍ଟ ସ୍ତରରେ ପୁଞ୍ଜି ସ୍ବଚ୍ଛତା ହାର ରଖିବାକୁ ପଡ଼ିଥାଏ। କେଉଁ ବ୍ୟାଙ୍କ ଆର୍ଥିକ ସ୍ଥଳରେ କେତେ ସଶକ୍ତ ତାହା ଏହି ହାରରୁ ଜଣାପଡ଼ିଥାଏ। ବ୍ୟାଙ୍କିଙ୍ଗ କାରବାରରେ ଋଣ ଦେବା ବେଳେ ତାହାର ଏକ ନିର୍ଦିଷ୍ଟ ଭାଗ ଏନପିଏ ହେବା ଓ ବୁଡ଼ିବାର ଆଶଙ୍କା ସବୁବେଳେ ରହିଥାଏ। ଏବେ ଏନ୍ପିଏର ମୁକାବିଲା ଲାଗି ବ୍ୟାଙ୍କଗୁଡ଼ିକୁ ଅଲଗା ଭାବେ ପାଣ୍ଠି ରଖିବାକୁ ପଡ଼ୁଛି। ସେଥିପାଇଁ ସେମାନଙ୍କ ଲାଭ ପୂର୍ବାପେକ୍ଷା ଅଧିକ ରହୁନାହିଁ। କରୋନା ମହାମାରୀ ପ୍ରଭାବ ଯୋଗୁଁ ବ୍ୟାଙ୍କଗୁଡ଼ିକର ଏନପିଏ ବହୁତ ବଢ଼ିଯିବ ବୋଲି ଅନୁମାନ କରାଯାଉଛି। ତାହା ହେଲେ ପ୍ରୋଭିଜନିଂ ପାଇଁ ବ୍ୟାଙ୍କଗୁଡ଼ିକୁ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରିବାକୁ ହେବ। ଘରୋଇ ବ୍ୟାଙ୍କଗୁଡ଼ିକ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ପାଣ୍ଠି ଯୋଗାଡ଼ରେ ଲାଗିପଡ଼ିଛନ୍ତି। ସାଧାରଣତଃ ସରକାରଙ୍କ ପାଣ୍ଠି ଉପରେ ନିର୍ଭରଶୀଳ ରହୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ କିନ୍ତୁ ଏଥର ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରିବାକୁ ତତ୍ପର ହୋଇପଡ଼ିଛନ୍ତି। କରୋନା ସଙ୍କଟ ପ୍ରଭାବକୁ ଦୂର କରିବା ଲାଗି ବ୍ୟାଙ୍କଗୁଡ଼ିକୁ ସରକାର ୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବା ଦରକାର ବୋଲି ଆକଳନ କରାଯାଇଛି। ମାତ୍ର ଅର୍ଥନୈତିକ କାର୍ଯ୍ୟକଳାପ ସ୍ବାଭାବିକ ନଥିବାରୁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ପାଣ୍ଠି ଦେବା ସରକାରଙ୍କ ପକ୍ଷେ ସମ୍ଭବ ହେବ ନାହିଁ। ବୋଧହୂଏ ସେଥିପାଇଁ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ପୁଞ୍ଜି ବଜାରରେ ପ୍ରବେଶ କରି ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଛନ୍ତି।