ନୂଆଦିଲ୍ଲୀ: ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍‌ (ମିଆଦୀ ଜମା) ବା ଏଫ୍‌ଡି ଖୋଲିବାକୁ ଚାହୁଥିବା ଲୋକମାନଙ୍କ ଲାଗି ଖୁସି ଖବର। ଗ୍ରାହକମାନଙ୍କୁ ଏଫ୍‌ଡିରେ ଅଧିକ ସୁଧ ଦେବା ଲାଗି ଦେଶର ପାଞ୍ଚଟି ବ୍ୟାଙ୍କ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ ଓ ଫେଡେରାଲ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ଅଧିକ ସୁଧ ଦେବେ। ଷ୍ଟେଟ୍‌ ବ୍ୟାଙ୍କ ଏହାର ଏଫ୍‌ଡିଗୁଡ଼ିକର ସୁଧରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି ଘୋଷଣା କରିଛି। ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଏଫ୍‌ଡି ଉପରେ ସୁଧ ହାର ବୃଦ୍ଧି କରାଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବର୍ଷିକିଆ ଏଫ୍‌ଡି ସୁଧ ହାରକୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।

Advertisment

କୋଟ୍‌ ମହିନ୍ଦ୍ରା ବ୍ୟାଙ୍କ ସୁଧ ହାରକୁ ସାଧାରଣ ଗ୍ରାହକଙ୍କ ପାଇଁ ୭.୩୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକମାନଙ୍କ ଲାଗି ୭.୮୦ ପ୍ରତିଶତକୁ ବୃଦ୍ଧି କରିଛି। ଡିସିବି ବ୍ୟାଙ୍କ ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଏଫ୍‌ଡି ଉପରେ ସାଧାରଣ ଗ୍ରାହକଙ୍କୁ ୮ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୬୦ ପ୍ରତିଶତ ସୁଧ ପ୍ରଦାନ କରିବ। ଫେଡେରାଲ୍‌ ବ୍ୟାଙ୍କ ୫୦୦ ଦିନିଆ ଏଫ୍‌ଡି ଉପରେ ବରିଷ୍ଠ ନାଗରିକମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଚମ ଥର ଲାଗି ସୁଧ ହାର ଅପରିବର୍ତ୍ତିତ ରଖିବାରୁ ବ୍ୟାଙ୍କଗୁଡ଼ିକ ଏଫ୍‌ଡି ଉପରେ ଅଧିକ ସୁଧ ଦେବା ଆରମ୍ଭ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ‌‌ଛଅ ଥରରେ ରେପୋ ହାରରେ ୨.୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକର ଜମା ଖାତାରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁନି।