ମିଶିଯିବେ ୧୦ ସରକାରୀ ବ୍ୟାଙ୍କ

୪ ବଡ଼ ବ୍ୟାଙ୍କ ସୃଷ୍ଟି ହେବ, ପିଏନ୍‌ବି ହେବ ଦ୍ବିତୀୟ ବୃହତ୍ତମ, କର୍ମଚାରୀ ଛଟେଇ ହେବନି

ନୂଆଦିଲ୍ଲୀ : ଆଜି ‌ପୁଣିଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମେଗା ବ୍ୟାଙ୍କ ମିଶ୍ରଣ ବିଷୟରେ ଘୋଷଣା କରିଛନ୍ତି। ଏହାଫଳରେ ଦେଶର ୧୦ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇ ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି ହେବାକୁ ଯାଉଥିବାବେଳେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି।

କାହା ସହ କିଏ ମିଶିବ

ପିଏନ୍‌ବି ସହ ଓବିସି ଓ ୟୁନାଇଟେଡ୍‌ ବ୍ୟାଙ୍କ
କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍‌ ବ୍ୟାଙ୍କ
ୟୁନିଅନ ବ୍ୟାଙ୍କ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ
ଇଣ୍ଡିଆନ ବ୍ୟାଙ୍କ ସହ ଆହ୍ଲାବାଦ ବ୍ୟାଙ୍କ

ସୂଚନା ଅନୁଯା‌ୟୀ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ସହିତ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ଓ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ର ମିଶ୍ରଣ ହେବ। ଏହି ମିଶ୍ରଣ ଦ୍ବାରା ଦେଶର ଦ୍ବିତୀୟ ବୃହତ ବ୍ୟାଙ୍କ ସୃଷ୍ଟି ହେବ। ସେହିପରି ସିଣ୍ଡିକେଟ୍‌ ବ୍ୟାଙ୍କ ସହ କାନାରା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସହ ଇଣ୍ଡିଆନ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍ ବ୍ୟାଙ୍କର ମି‌ଶ୍ରଣ ହେବ। ଏହି ସବୁ ବ୍ୟାଙ୍କର ମୋଟ କାରବାର, କର୍ମଚାରୀ ଓ ଶାଖା ସବୁ କିଛି ମିଶିଯିବ। ବ୍ୟାଙ୍କ ମିଶ୍ରଣ ଯୋଗୁ ଗ୍ରାହକମାନେ ପ୍ରଭାବିତ ହେବେ ନାହିଁ। କେବଳ ଆକାଉଣ୍ଟ୍‌ ନମ୍ବର, ଆଇଏଫ୍‌ଏସ୍‌ସି କୋଡ୍‌ ଆଦି ବଦଳିଯିବ। ନୂଆ ବ୍ୟାଙ୍କର ଚେକ୍ ବୁକ୍ ଓ ଡେବିଟ୍ କାର୍ଡ ମିଳିବ। ଜମା, ସଞ୍ଚୟ ରାଶି ଏବଂ ଲକର୍‌ରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ‌ତାହା କେବଳ ମିଶ୍ରଣରେ ସୃଷ୍ଟି ହେବାକୁ ଥିବା ନୂଆ ବ୍ୟାଙ୍କ ଅଧୀନକୁ ଚାଲିଯିବ।

ସରକାରୀ ବ୍ୟାଙ୍କଗୁଡ଼ିକୁ ପରସ୍ପର ସହ ମିଶାଇ ଦେବା ପରେ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ସରକାର ସେମାନଙ୍କୁ ନୂତନ ପୁଞ୍ଜି ପ୍ରଦାନ କରିବେ। ସେମାନଙ୍କୁ ମୋଟ ୭୦ ହଜାର କୋଟି ଟଙ୍କାର ନୂଆ ପୁଞ୍ଜି ପ୍ରଦାନ କରାଯିବ। ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି କର୍ମଚାରୀ ଛଟେଇ ହେବେ ନାହିଁ ବୋଲି ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି। ସେ କହିଲେ, ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ସହ ଏହାର ସହଯୋଗୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ହୋଇଥିଲା। ଏହା ପରେ ବ୍ୟାଙ୍କ ଅଫ୍‌ ବରୋଦା ସହ ଦେବା ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଥିଲା। ସେହି ଦୁଇ ମିଶ୍ରଣରେ ମଧ୍ୟ କୌଣସି କର୍ମଚାରୀ ଛଟେଇ ହୋଇନାହାନ୍ତି।

ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ପିଏନ୍‌ବି ହେବ ଦ୍ବିତୀୟ ବଡ଼ ବ୍ୟାଙ୍କ। ଏହାର ମୋଟ ବ୍ୟବସାୟ ୧୭ ଲକ୍ଷ ୯୪ ହଜାର କୋଟି ଟଙ୍କା ହେବ। ଷ୍ଟେଟ୍‌ ବ୍ୟାଙ୍କର ମୋଟ ୫୨ ଲକ୍ଷ ୫ ହଜାର କୋଟି ଟଙ୍କାର କାରବାର ସହ ଏକ ନମ୍ବର ବ୍ୟାଙ୍କ ହୋଇ ରହିଛି। ସେହିପରି ମିଶ୍ରଣ ପରେ କାନାରା ବ୍ୟାଙ୍କର ମୋଟ କାରବାର ପରିମାଣ ୧୫ ଲକ୍ଷ ୨ ହଜାର କୋଟି ଟଙ୍କା ହୋଇଯିବ ଓ ଏହା ହେବ ଦେଶର ଚତୁର୍ଥ ବଡ଼ ବ୍ୟାଙ୍କ। ୟୁନିଅନ୍ ବ୍ୟାଙ୍କର ମୋଟ କାରବାର ପରିମାଣ ୧୪ ଲକ୍ଷ ୫୯ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ଓ ଏହା ହେବ ଦେଶର ପଞ୍ଚମ ବଡ଼ ବ୍ୟାଙ୍କ। ଅନ୍ୟପକ୍ଷରେ ଆହ୍ଲାବାଦ ବ୍ୟାଙ୍କ ସହ ମିଶିଯିବା ପରେ ଇଣ୍ଡିଆନ୍ ବ୍ୟାଙ୍କ ହେବ ଦେଶର ସପ୍ତମ ସବୁଠୁ ବଡ଼ ବ୍ୟାଙ୍କ। ଏହାର ମୋଟ କାରବାର ପରିମାଣ ୮.୦୮ ଲକ୍ଷ କୋଟି ଟଙ୍କା ହେବ।

ସମ୍ବନ୍ଧିତ ଖବର