ଏଟିଏମ୍‌ରେ ଟଙ୍କା ନଥିଲେ ବ୍ୟାଙ୍କ ଗଣିବେ ଜରିମାନା

ପ୍ରତି ଏଟିଏମ୍ ପିଛା ୧୦ ହଜାର ଟଙ୍କା ଅକ୍ଟୋବର ୧ରୁ ନିୟମ ଲାଗୁ ହେବ

ନୂଆଦିଲ୍ଲୀ: ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପ୍ରତି ବ୍ୟାଙ୍କ ଓ ଘରୋଇ ଏଟିଏମ୍ ଅପରେଟରମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଯଦି ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଇନଥିବ ତେବେ ସେଥିପାଇଁ ବ୍ୟାଙ୍କଗୁଡ଼ିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରିମାନା ଲାଗୁ କରିବ। ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଟିଏମ୍‌ରେ ଭର୍ତ୍ତି କରାଯାଉଥିବା ଟଙ୍କାର ସ୍ଥିତି ଉପରେ ନଜର ରଖିବା ଲାଗି ଦୃଢ଼ ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ମାସକରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏଟିଏମ୍‌ରେ ଟଙ୍କା ନରହିଲେ ପ୍ରତି ଏଟିଏମ୍ ପାଇଁ ବ୍ୟାଙ୍କକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିବାକୁ ପଡ଼ିବ।

ଘରୋଇ ଏଟିଏମ୍ ଅପରେଟର ବା ହ୍ବାଇଟ୍ ଲାବେଲ୍ ଏଟିଏମ୍‌ ଯଦି ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଟଙ୍କା ଯୋଗାଉଥିବା ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଏହି ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଏଟିଏମ୍‌ରେ ଭର୍ତ୍ତି କରାଯାଉଥିବା ଟଙ୍କା ସ୍ଥିତିର ଅନୁଶୀଳନରୁ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଛି ଯେ ଏଟିଏମ୍‌ରେ ବହୁ ସମୟ ପର୍ଯ୍ୟନ୍ତ ଟଙ୍କା ରହୁନଥିବାରୁ ସାଧାରଣ ଜନତା ଅସୁବିଧା ଭୋଗୁଛନ୍ତି। କେତେ ସମୟ ପର୍ଯ୍ୟନ୍ତ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହୋଇନାହିଁ ତାହାର ସୂଚନା ରିଜର୍ଭ ବ୍ୟାଙ୍କର ଇସ୍ୟୁ ବିଭାଗକୁ ପ୍ରଦାନ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର