ନୂଆଦିଲ୍ଳୀ: ସାରା ଦେଶ ନିକଟରେ ଗଣେଶ ଚତୁର୍ଥୀ ପାଳନ କରିଛି। କିଛି ବାଟ ବ୍ୟବଧାନରେ ଗଣେଶ ପେଣ୍ଡାଲ୍ରୁ ନେଇ ମୂର୍ତ୍ତି ପୂଜା ହେଉଥିବା ଦେଖିବାକୁ ମିଳିଛି। ଯେଉଁଠି ଦେଖିଲେ ଗଣପତିଙ୍କୁ ଦେଖିବାକୁ ମିଳୁଛି। ହେଲେ ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଥିବା ଗଜାନନ ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବପ୍ପାଙ୍କୁ ବିମାନ ଭିତରେ ୱିଣ୍ଡୋ ସିଟ୍ରେ ବସିଥିବାର ଏକ ଫଟୋରେ ଦେଖିବାକୁ ମିଳିଛି। ଫଟୋଟିକୁ ଇଣ୍ଡିଗୋ ଏୟାର୍ଲାଇନ୍ ତା’ର ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସେୟାର୍ କରିଛି। ଇଣ୍ଡିଗୋ ଫଟୋ ପୋଷ୍ଟ୍ କରି ‘ବପ୍ପା ଘରକୁ ଆସୁଛନ୍ତି’ ବୋଲି କ୍ୟାପ୍ସନ୍ରେ ଲେଖିଛି।
ଫଟୋରେ ଗଣେଶଙ୍କ ସମ୍ମୁଖରେ ଅନେକ ଖାଦ୍ୟ ରଖାଯାଇଛି। ସେଥିରୁ ଗୋଟାଏ ହାତରେ ଧରି ଗଜାନନ ତାହାକୁ ଖାଉଥିବାର ଦେଖିବାକୁ ମିଳିଛି। ଏହି ଫଟୋକୁ ଇଣ୍ଡିଗୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ତିଆରି କରିଥିବା ସୂଚନା ରହିଛି।
View this post on Instagram
ଇଣ୍ଡିଗୋର ଏହି ପୋଷ୍ଟ୍କୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ଗଣପତିଙ୍କ ଫଟୋକୁ ଦେଖି ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ୍ ଦେଇଥିବା ବେଳେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଭୀଷଣ ଗରମରେ ଇଣ୍ଡିଗୋ ତା’ର ଯାତ୍ରୀମାନଙ୍କୁ ଏକ ଗ୍ଲାସ୍ ପାଣି ଦେବାକୁ ଯୋଗ୍ୟ ନୁହେଁ, କେଉଁ ଅଧିକାରରେ ସେ ଗଣପତିଙ୍କ ଚିତ୍ରଣ କରୁଛି?’’
ଏହି ଭାଇରାଲ୍ ଫଟୋକୁ ୩ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଏହାକୁ ଅନେକ ବ୍ୟବହାରକାରୀ ସେୟାର ବି କରିଛନ୍ତି। ଅନେକ ବ୍ୟବହାରାକାରୀ ଗଣେଶଙ୍କ ଏହି ସୁନ୍ଦର ଚିତ୍ରକୁ ଦେଖି ଭାବପ୍ରବଣ ହୋଇ ପଡ଼ିଛନ୍ତି।