୮୧ କୋଟି ଲୋକଙ୍କ ଆଧାର ତଥ୍ୟ ଲିକ୍

ନୂଆଦିଲ୍ଲୀ: ଭାରତର ସର୍ବବୃହତ ତଥ୍ୟ ଲିକ୍‌କୁ ସାମ୍ନା କରିଛି। ପ୍ରାୟ ୮୧.୫ କୋଟି ଲୋକଙ୍କ ଆଧାର ତଥ୍ୟ ଲିକ୍ (ପ୍ରଘଟ) ହୋଇଥିବା ଦାବି କରାଯାଇଛି। ଇଣ୍ଡିଆନ କାଉନସିଲ୍ ଅଫ୍‌ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ରେ ପଞ୍ଜୀକୃତ କରିଥିବା ଲୋକଙ୍କ ତଥ୍ୟ ଲିକ୍ ହୋଇଥିବା ହ୍ୟାକର ଦାବି କରିଛନ୍ତି। ଏହି ହ୍ୟାକିଂ ବିଷୟରେ ପ୍ରଥମେ ଆମେରିକାର ସାଇବର ନିରାପତ୍ତା ଓ ଇଣ୍ଟେଲିଜେନ୍ସ ଏଜେନ୍ସି ରିସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଥିଲା। ବ୍ରିଚ୍‌ ଫୋରମ୍‌ରେ ଏ ବିଷୟରେ ସୂଚନା ପ୍ରଦାନ କରାଯାଇଛି। ଯେତିକି ଲୋକଙ୍କ ତଥ୍ୟ ଲିକ୍ ହୋଇଛି ତାହା ଇରାନ, ତୁର୍କୀ ଓ ଜର୍ମାନିର ଜନସଂଖ୍ୟାଠାରୁ ଅଧିକ। ହ୍ୟାକରମାନେ ଭାରତୀୟଙ୍କ ଆଧାର ବିବରଣୀ, ନାମ, ଫୋନ୍‌ ନମ୍ବର ଓ ଠିକଣା ଆଦି ଚୋରାଇଛନ୍ତି।

ଆଇସିଏମ୍‌ଆର୍‌ରେ ଯେଉଁମାନେ କୋଭିଡ୍‌-୧୯ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ ସେମାନଙ୍କ ତଥ୍ୟ ଲିକ୍ ହୋଇଛି। ‘ପିଡବ୍ଲୁଏନ୍‌୦୦୦୧’ ନାମକ ଏକ ହ୍ୟାଣ୍ଡେଲ୍‌ରୁ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ରେ ଏ ସମ୍ପର୍କିତ ସ୍ପ୍ରେଡ୍‌ସିଟ୍ ପୋଷ୍ଟ୍ କରାଯାଇଛି। ‌ସେଥିରେ ଆଧାର କାର୍ଡର ଯେଉଁ ବିବରଣୀ ଥିଲା, ଯାଞ୍ଚ କରିବା ପରେ ତାହା ସତ ବୋଲି ଜଣାପଡ଼ିଛି। କିନ୍ତୁ ଏହି ଲିକ୍ ସମ୍ପର୍କରେ ଆଇସିଏମ୍‌ଆର୍ କିମ୍ବା ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଆଇସିଏମ୍‌ଆର୍‌ଠାରୁ ଅଭିଯୋଗ ମିଳିବା ପରେ ସିବିଆଇ ଏହି ମାମଲାର ତଦନ୍ତ କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର