ନୂଆଦିଲ୍ଲୀ : ଭୋଟରଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଯେଉଁ ମାଗଣା ସ୍କିମ୍ ବା ଫ୍ରିବିଜ୍ର ପ୍ରଲୋଭନ ଦେଖାଉଛନ୍ତି ତାହା ଉପରେ ଅର୍ଥନୀତିଜ୍ଞ ଜୟତି ଘୋଷ ମତ ଦେଇ କହିଛନ୍ତି ଯେ ମୌଳିକ ଆବଶ୍ୟକତାଗୁଡ଼ିକୁ ଫ୍ରିବିଜ୍ କୁହାଯାଇପାରିବ ନାହିଁ। ସେହି ସୁବିଧା ପାଇବାକୁ ଗରିବମାନେ ହକଦାର। ବିଶେଷ କରି ପୁଷ୍ଟି, ସ୍ବାସ୍ଥ୍ୟ ସେବା, ବାସଗୃହ ଓ ଶିକ୍ଷାରେ ଯାହା କିଛି ମାଗଣା ଦିଆଯାଉଛି ତାହା ଫ୍ରିବିଜ୍ ନୁହେଁ।
ସେ କହିଛନ୍ତି ଯେ ସାରା ଦୁନିଆରେ ଭାରତ ହେଉଛି ଏକ ଦେଶ ଯେଉଁଠାରେ ବିଭିନ୍ନ ପ୍ରକାରର ଗରିବ ଲୋକ ଅଛନ୍ତି। ସବୁ ଲୋକଙ୍କ ପାଖରେ ମୌଳିକ ଆବଶ୍ୟକତା ପହଞ୍ଚାଇବା ଲାଗି ଅତ୍ୟନ୍ତ ଦୁର୍ବଳ ଉଦ୍ୟମ ହୋଇଛି। ଅଧିକାଂଶ ଦେଶରେ ଏକ ନିର୍ଦିଷ୍ଟ ଗୁଣାତ୍ମକ ମାନର ସାମଗ୍ରୀ ଓ ସେବାକୁ ମୌଳିକ ଆବଶ୍ୟକତା କୁହାଯାଉଛି। ସେଗୁଡ଼ିକୁ ଫ୍ରିବିଜ୍ ବୋଲି ବିଚାର କରାଯାଉନଥିବା ସେ କହିଛନ୍ତି। ଟିକସ ସଂଗ୍ରହ ବ୍ୟବସ୍ଥାରେ ପରୋକ୍ଷ ଟିକସର ଆଧିପତ୍ୟ ରହୁଥିବାରୁ ଧନୀମାନଙ୍କ ତୁଳନାରେ ଟିକସ ଆକାରରେ ଗରିବ ଲୋକମାନେ ଅଧିକ ଟଙ୍କା ଦେଉଛନ୍ତି। ତେଣୁ ସେମାନେ ଅଧିକ ସୁବିଧା ସୁଯୋଗ ପାଇବାକୁ ହକଦାର ବୋଲି ସେ କହିଛନ୍ତି। ଫ୍ରିବିଜ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ବିତର୍କ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆପ୍ ସରକାରଙ୍କ ଘୋଷଣାକୁ ଇଙ୍ଗିତ କରି ସେ ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ ହୋଇଛି। ଆଜି ମଧ୍ୟ ଫ୍ରିବିଜ୍କୁ ନେଇ ସୁପ୍ରିମ୍କୋର୍ଟରେ ନୂଆ ମାମଲା ରୁଜୁ କରାଯାଇଛି।